ଗିରଫ ହେଲେ ଟିଏମସି ନେତା ଶଙ୍କର ଆଧ୍ୟା

କୋଲ୍‌କାତା: ରେସନ୍‌ ବଣ୍ଟନ ଦୁର୍ନୀତି ଅଭିଯୋଗରେ ‘ତୃଣମୂଳ କଂଗ୍ରେସ’ ନେତା ଶଙ୍କର ଆଧ୍ୟାଙ୍କୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) ଗିରଫ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି ।

ଶୁକ୍ରବାର ଦିନ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଶଙ୍କର ଆଧ୍ୟାଙ୍କ ବାସଭବନରେ ଚଢ଼ଉ କରିଥିଲା। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କହିଥିଲା ଯେ, ପଶ୍ଚିମବଙ୍ଗ ପୁଲିସ ପଞ୍ଜୀକୃତ କରିଥିବା କେତେଗୁଡ଼ିଏ ‘ଏଫ୍‌ଆଇଆର୍‌’କୁ ଭିତ୍ତି କରି ଏହି ଚଢ଼ଉ କରାଯାଉଛି। କେତେକ ବେସରକାରୀ ଲୋକ ବେଆଇନ ଭାବେ ‘ପିଡିଏସ୍‌’ ରେସନ୍‌ ରଖିବା ଓ ମିଥ୍ୟା ଚାଉଳ କିଣିବା ଘଟଣାରେ ସମ୍ପୃକ୍ତ ବୋଲି ଏଥିରେ ଅଭିଯୋଗ ହୋଇଥିଲା।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବ୍ୟାପକ ତଲାସ କରିବା ପରେ ବନଗାଆଁର ପୂର୍ବତନ ଅଧ୍ୟକ୍ଷ ଶଙ୍କର ଆଧ୍ୟାଙ୍କୁ ଗିରଫ କରାଯାଇଛି।

ତାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ଆଧ୍ୟା ଦାବି କରିଛନ୍ତି ଯେ, ତଦନ୍ତ ସମୟରେ ‘ଇଡି’ ଅଧିକାରୀମାନଙ୍କୁ ସହଯୋଗ କରିବା ସତ୍ତ୍ବେ ସ୍ବାମୀଙ୍କୁ ଗିରଫ କରାଯାଇଛି।

Comments are closed.