ତିସ୍ତାଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ : ସୁପ୍ରିମ୍ କୋର୍ଟ ସମାଜସେବୀ ତିସ୍ତା ସୀତଲବାଡ଼ଙ୍କୁ ବଡ଼ ଆଶ୍ୱସ୍ତି ଦେବା ସହ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ବିଆର୍ ଗବାଇ, ଜଷ୍ଟିସ୍ ଏଏସ୍ ବୋପାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁଜୁରାଟ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିବା ସହ ଜାମିନ ପ୍ରଦାନ କରିଛନ୍ତି ।

ଏହା ପୂର୍ବରୁ ଜୁଲାଇ ୧, ୨୦୨୩ରେ ଗୁଜରାଟ ହାଇକୋର୍ଟ ସୀତଲବାଡ଼ଙ୍କ ଜାମିନ ଆବେଦନ ଖାରଜ କରି ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ବିରୋଧରେ ତିସ୍ତା ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ରାତିରେ ସୁପ୍ରିମ୍ କୋର୍ଟ ଏହି ଆବେଦନକୁ ଗ୍ରହଣ କରି ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଥିଲେ ଓ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ।

ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଆଦେଶରେ ଏହା ମଧ୍ୟ କହିଛନ୍ତି ଯେ ସେତଲୱାଡ ଏହି ମାମଲାରେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ କୌଣସି ପ୍ରୟାସ କରିବେ ନାହିଁ ଏବଂ ସେମାନଙ୍କଠାରୁ ଦୂରେଇ ରହିବେ ।

୨୦୦୨ ଗୁଜରାଟ ଦଙ୍ଗା ଷଡ଼ଯନ୍ତ୍ର ମାମଲାରେ ମିଛ ପ୍ରମାଣ ସୃଷ୍ଟି କରିବା ଏବଂ ମିଥ୍ୟା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଅଭିଯୋଗରେ ତିସ୍ତାଙ୍କ ବିରୋଧରେ ଗୁଜରାଟ ପୁଲିସ ଏଫଆଇଆର ଦାୟର କରିଛି । ଗତବର୍ଷ ଗୁଜରାଟ ଦଙ୍ଗା ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଅଭିଯୋଗ ଆଣିଥିବା ତିସ୍ତାଙ୍କ ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଥିଲେ । ଏହାର ଗୋଟିଏ ଦିନ ଗୁଜରାଟ ପୁଲିସ ତାଙ୍କ ବିରୋଧରେ ଏହି ଏଫ୍ଆଇଆର୍ ରୁଜୁକରିଥିଲା।

 

Comments are closed.