ବିଶ୍ୱର ଉତ୍ତପ୍ତ ସହ ମଧ୍ୟରେ ଓଡ଼ିଶାର ତିନି ସହର

ଭୁବନେଶ୍ବର: ସକାଳୁ ସକାଳୁ ଆକାଶରୁ ନିଆଁ ବର୍ଷା ହୋଇଥିଲା। ସାଢ଼େ ୮ଟା ବେଳକୁ ବାରିପଦା ସହରର ପାରଦ ୩୮ ଡିଗ୍ରି ଡେଇଁଯାଇଥିଲା। କେବଳ ବାରିପଦା ନୁହେଁ, ବାଲେଶ୍ବର, ଭୁବନେଶ୍ବର, ତାଳଚେର, କେନ୍ଦୁଝର, କଟକ ସହରରେ ମଧ୍ୟ ସମାନ ଅବସ୍ଥା ଉପୁଜିଥିଲା। ଦିନର ତାପମାତ୍ରା ହୁ ହୁ ହୋଇ ବଢ଼ିବା ସହ ଦେହହାତ ଜାଳି ପକାଇଥିଲା। ତାତିରେ ଆଉଟୁପାଉଟୁ ହେଉଥିଲେ ଲୋକେ। ପୂର୍ବାହ୍ନ ସାଢ଼େ ୧୧ଟା ‌ବେଳକୁ ବାରିପଦା ଓ ବାଲେଶ୍ବରର ପାରଦ ୪୪ ଡିଗ୍ରି ଏବଂ ଭୁବନେଶ୍ବର, ଝାରସୁଗୁଡ଼ା, କଟକରେ ୪୨ ଡିଗ୍ରି ପାର୍‌ ହୋଇଯାଇଥିଲା। ପ୍ରତି ଘଣ୍ଟାରେ ତାପମାତ୍ରା ଏଭଳି ବଢ଼ିଥିଲା ଯେ ଅପରାହ୍ଣ ସାଢ଼େ ଗୋଟିଏ ବେଳକୁ ସମସ୍ତ ସହରର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

ପାଣିପାଗ ସଂସ୍ଥା ଓଗିମେଟ୍‌ ତଥ୍ୟ ଅନୁଯାୟୀ ବିଶ୍ବର ପ୍ରଥମ ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ତିନିଟି ସହର ରହିଛି। ଓମାନର ଜୋବା ୪୯.୨ ସହିତ ବିଶ୍ବର ସବୁଠୁ ଉତ୍ତପ୍ତ ସହର ଥିବା ବେଳେ ବାରିପଦା ଦ୍ବିତୀୟ, ବାଲେଶ୍ବର ତୃତୀୟ ଓ ଭୁବନେଶ୍ବର ଦଶମ ସ୍ଥାନରେ ରହିଛି। ବାରିପଦାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୬.୬ ଡିଗ୍ରିରେ ପହଞ୍ଚିଥିଲା, ଯାହାକି ସର୍ବକାଳୀନ ରେକର୍ଡ। ଆଗରୁ ୨୦୧୦ ଏପ୍ରିଲ ୨୧ରେ ୪୬.୧ ଡିଗ୍ରି ରହିଥିଲା। ସେହିପରି ବାଲେଶ୍ବର ସହରର ତାପମାତ୍ରା ୪୬ ଡିଗ୍ରି ଛୁଇଁବା ସହ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। କାରଣ ୨୦୧୦ ଏପ୍ରିଲ ୨୦ରେ ବାଲେଶ୍ବରର ତାପମାତ୍ରା ୪୫ ଡିଗ୍ରି ରହିଥିଲା। ଭୁବନେଶ୍ବରରେ ମଧ୍ୟ ଚଳିତବର୍ଷ ପ୍ରଥମ ଥର ପାଇଁ ଦିନର ତାପମାତ୍ରା ୪୫.୪ ଡିଗ୍ରିରେ ପହଞ୍ଚିବା ସହ ଏପ୍ରିଲ ମାସରେ ଦ୍ବିତୀୟ ସର୍ବାଧିକ ତାପମାତ୍ରା ରହିଥିଲା। ୨୦୧୬ ଏପ୍ରିଲ ୧୧ରେ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୪୫.୮ ଡିଗ୍ରି ସର୍ବକାଳୀନ ରେକର୍ଡ ଭାବେ ରହିଛି। ତେବେ ଏପ୍ରିଲ ମାସରେ ସର୍ବକାଳୀନ ରେକର୍ଡ ୧୯୭୬ ମସିହା ଏପ୍ରିଲ ୨୬ରେ ଟିଟିଲାଗଡ଼ରେ ୪୯.୬ ଡିଗ୍ରି ରେକର୍ଡ ହୋଇଥିଲା। ୧୯୭୩ ଏପ୍ରିଲ ୨୨ରେ ବଲାଙ୍ଗୀରରେ ୪୯ ଡିଗ୍ରି ରେକର୍ଡ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

 

Comments are closed.