ଏଥର ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ, ବିଧାନସଭାକୁ ଜଗିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

ଭୁବନେଶ୍ୱର,୧୭ ।୨: ଏଥର ବିଧାନସଭାରେ ରହିବ ଉଭୟ ପ୍ରଶ୍ନକାଳ ଓ ଶୂନ୍ୟକାଳ । ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି । ଦୈନିକ ୨ଟି ଅଧିବେଶନରେ ବିଧାନସଭା ଚାଲିବ । ଦିନ ସାଢେ ୧୦ଟାରୁ ୧ଟା ୩୦ ଓ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ଗୃହ ଚାଲିବ । ସ୍ୱତନ୍ତ୍ର କାର୍ଯ୍ୟଦିବସରେ ଅଧିବେଶନ ୭ଟା ଯାଏଁ ଚାଲିବ ବୋଲି ବାଚସ୍ପତି କହିଛନ୍ତି । ପୂର୍ବଭଳି ପୂର୍ବାହ୍ନ ୧୦ଟା ୩୦ରୁ ୧୧ ଟା ୩୦ ପ୍ରଶ୍ନକାଳ ରହିବ । ମୁଲତବି ଆଲୋଚନା ବି ହେବ, ସମୟ ରହିବ ଦେଢ ଘଣ୍ଟା । ଦେଢ ଘଣ୍ଟାରୁ ୫୫ ମିନିଟ ବିରୋଧୀଙ୍କ ପାଇଁ ଉଦ୍ଦିଷ୍ଟ ହେବ । ବିଧାନସଭାର ସବୁ ତଥ୍ୟ ନେଭା ଆପ୍ ଜରିଆରେ ମିଳିବ ।

ଅନ୍ୟପଟେ ବିଧାନସଭାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି ଅଭୟ । ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି ମଧ୍ୟ ଏହି ଯାଞ୍ଚରେ ସାମିଲ ହୋଇଥିଲେ । ସ୍ଥିତି ସମୀକ୍ଷା ପରେ ପୋଲିସ କମିଶନର କହିଛନ୍ତି ଯେ, ‘ବିଧାନସଭା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ହେବ । ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଆତ୍ମାହୂତି ଉଦ୍ୟମ ଲୋକେ କରୁଥିବାରୁ ତାହା ଫୋକସରେ ରହିବ । ବିଧାନସଭା ଚାଲୁଥିବା ସମୟରେ କିଛି ରାସ୍ତାକୁ ବ୍ଲକ କରାଯିବ ।’

Comments are closed.