ଆଉ ନିର୍ବାଚନ ଲଢିବ ନାହିଁ ଏହି ବରିଷ୍ଠ ନେତା, କଲେ ଘୋଷଣା

ପାଟନା : ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍‌ଏଏମ୍‌)ର ପୃଷ୍ଠପୋଷକ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝି ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ତାଙ୍କୁ ୭୯ ବର୍ଷ ହେଲାଣି। ତେଣୁ ସେ ୨୦୨୪ ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ରବିବାର ଗଣମାଧ୍ୟମକୁ କହିଛନ୍ତି। ୭୫ ବର୍ଷ ପରେ କେହି ନିର୍ବାଚନ ଲଢ଼ିବା ଉଚିତ ନୁହେଁ। ଅବଶ୍ୟ ଏହି ବୟସ ଅତିକ୍ରମ କରିଥିବା କେତେଜଣ ନିର୍ବାଚନୀ ଲଢ଼େଇରେ ପ୍ରବେଶ କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି। ତେବେ ଏହା ତାଙ୍କ ନୀତି ବିରୁଦ୍ଧ ବୋଲି ମାନ୍‌ଝି କହିଛନ୍ତି।

ଗତ ଜୁନ୍‌ରେ ମାନ୍‌ଝି ଏନ୍‌ଡିଏ ମେଣ୍ଟକୁ ଫେରିଥିଲେ। ଗତ ସପ୍ତାହରେ ସେ ନୂଆଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଥିଲେ ମଧ୍ୟ ଲୋକ ସଭା ନିର୍ବାଚନକୁ ନେଇ ଭେଟିବା କଥାକୁ ଅସ୍ବୀକାର କରିଥିଲେ। ମାନ୍‌ଝି ତାଙ୍କ ପୁଅ ତଥା ଏଚ୍‌ଏଏମ୍‌ର ଅଧ୍ୟକ୍ଷ ଥିବା ସନ୍ତୋଷ କୁମାର ସୁମନଙ୍କ ପାଇଁ ଲୋକ ସଭା ଟିକେଟ ହାସଲ କରିବାକୁ ଚାହୁଁଥିବା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନୀତୀଶ କୁମାରଙ୍କ ମହାମେଣ୍ଟ ସରକାରରେ ସୁମନ ମନ୍ତ୍ରୀ ଥିଲେ। ଏଚ୍‌ଏଏମ୍‌କୁ ଜେଡିୟୁରେ ମିଶାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ ଚାପ ପକାଉଥିବା ଅଭିଯୋଗ କରି ସୁମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। ପରେ ସେ ଏନ୍‌ଡିଏରେ ଯୋଗଦେଇଥିଲେ।

Comments are closed.