ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ଓଡ଼ିଶା ସମେତ ବିହାର, ତେଲେଙ୍ଗାନା, ରୟାଲସୀମା, ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜା‌ରି ରହିଛି। ସ୍ଥାନେ ସ୍ଥାନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଦିନ ତ ଦିନ ରାତିରେ ମଧ୍ୟ ପାରଦ ୨୫ ଡିଗ୍ରି ଉପରେ ରହୁଛି। ଲଗାତାର ୧୪ ଦିନ ଧରି ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବା ଏବେ ଚିନ୍ତାର କାରଣ ପାଲଟିଛି। ପୂର୍ବରୁ କେବେ ଏପ୍ରିଲ ମାସରେ ଏଭଳି ତାତି ଅନୁଭୂତ ହୋଇ ନ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆହୁରି ତିନି ଦିନ ପର୍ଯ୍ୟନ୍ତ ଏଭଳିସ୍ଥିତି ଜାରି ରହିବ। ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ସହ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି କମିପାରେ। ମାତ୍ର ମେ’ ଦ୍ବିତୀୟ ସପ୍ତାହ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏପ୍ରିଲ ୩୦ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ରୁ ୪୨ ଡିଗ୍ରି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୧ରୁ ୪୩ ଡିଗ୍ରି ମଧ୍ୟରେ ରହିବ। ମେ’ ୧ ଓ ୨ ତାରିଖରେ ସାମାନ୍ୟ ହ୍ରାସ ପାଇ ଉପକୂଳ ଓଡ଼ିଶାରେ ୩୯ରୁ ୪୧ ଡିଗ୍ରି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ରୁ ୪୨ ଡିଗ୍ରି ମଧ୍ୟରେ ରହିପାରେ। ସାରା ରାଜ୍ୟରେ ରାତି ତାପମାତ୍ରା ୨୪ରୁ ୨୬ ଡିଗ୍ରି ମଧ୍ୟରେ ରହିବ। ୨୯ ଓ ୩୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା, ବଲାଙ୍ଗୀର, ‌ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଜନଜୀବନ ପ୍ରଭାବିତ ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ୨୯ ତାରିଖରେ ବାରିପଦା, ଭବାନୀପାଟଣା,‌ ଅନୁଗୁଳ, ବୌଦ୍ଧ ସହରର ତାପମାତ୍ରା ୪୫ ଡିଗ୍ରି ଏବଂ ଭୁବନେଶ୍ବର, ମାଲକାନଗିରି, ଟିଟିଲାଗଡ଼, ବଲାଙ୍ଗୀର, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ରାଉରକେଲା, ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର, ସୋନପୁର, ପାରଳାଖେମୁଣ୍ଡି, ଭଦ୍ରକରେ ତାପମାତ୍ରା ୪୩ ଓ ୪୪ ଡିଗ୍ରି ମଧ୍ୟରେ ରହିବ। ୩୦ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ଟିଟିଲାଗଡ଼, ଢେଙ୍କାନାଳରେ ଅଧିକ ତାତି ଅନୁଭୂତ ହେବା ସହ ପାରଦ ୪୫ ଡିଗ୍ରି ଛୁଇଁପାରେ।

Comments are closed.