ଆସିଲା ଜ୍ଞାନବାପୀ ମସଜିଦ ମାମଲାର ରାୟ

ବାରାଣାସୀ : ଜ୍ଞାନବାପୀ ମସଜିଦ ଓ ଶୃଙ୍ଗାର ଗୌରୀମାମଲାରେ ବାରାଣାସୀ ଜିଲ୍ଲା ଅଦାଲତରେ ହିନ୍ଦୁ ପକ୍ଷଙ୍କ ଏକ ବଡ଼ ବିଜୟ ହୋଇଛି । କୋର୍ଟ ମୁସଲିମ ପକ୍ଷଙ୍କ ଆବେଦନ ଖାରଜ କରିବା ସହ କହିଛନ୍ତି ଯେ ଜ୍ଞାନବାପୀ ମସଜିଦରେ ପ୍ରାର୍ଥନା ପାଇଁ ୫ ଜଣ ହିନ୍ଦୁ ମହିଳା କରିଥିବା ଆବେଦନ ଶୁଣାଣିଯୋଗ୍ୟ । ଏ.କେ.ବିଶ୍ବେସଙ୍କୁ ନେଇ ଗଠିତ ଏକ ଜଣିକିଆ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି ।

କୋର୍ଟଙ୍କ ଏହି ରାୟକୁ ହିନ୍ଦୁପକ୍ଷଙ୍କ ଏକ ବଡ଼ ବିଜୟ ବୋଲି କହି, ହିନ୍ଦୁପକ୍ଷଙ୍କ ଓକିଲ ବିଷ୍ଣଶଙ୍କର ଜୈନ କହିଛନ୍ତି ଯେ, ଏହି ମାମଲା ସାମ୍ବିଧାନିକ ଦୃଷ୍ଟିକୋଣରୁ ଆଗକୁ ବଢୁଛି । ଆଗକୁ ଲଢେଇ ପୂଜା କରିବାର ଅଧିକାର ଓ ସିଭିଲ କୋର୍ଟଙ୍କ ଦ୍ବାରା ଏହି ମସଜିଦର କରାଯାଇଥିବା ସର୍ଭେର ବୈଜ୍ଞାନିକ ଯାଞ୍ଚ କରିବାକୁ ଦାବି କରାଯିବ । ଆଗକୁ ମନ୍ଦିର ନିର୍ମାଣର ରାସ୍ତା ଫିଟିବାରେ ଲାଗିଛି । ଖୁବଶୀଘ୍ର ପୂଜା କରିବାର ଅଧିକାର ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ଅନ୍ୟପକ୍ଷରେ ମୁସଲିମ ପକ୍ଷର ପ୍ରତିନିଧିତ୍ବ କରୁଥିବା ଅଂଜୁମାନ ଇତଜାମିଆ ମସଜିଦ କମିଟି ପକ୍ଷରୁ କୁହାଯାଇଛି ଯେ ସେମାନେ ଜିଲ୍ଲା କୋର୍ଟଙ୍କ ଏହି ରାୟକୁ ନେଇ ଖୁସି ନାହାନ୍ତି । ଜିଲ୍ଲା କୋର୍ଟଙ୍କ ରାୟର ନକଲ ମିଳିବା ପରେ ତାହାକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରାଯିବ । କମିଟି ପକ୍ଷରୁ କୁହାଯାଇଛି ଯେ, ଏହି ମସଜିଦ ଏକ ଓ୍ବାକଫ ସଂପତ୍ତି, ଏଣୁ ଏହି ମାମଲାର ଆଇନଗତ ଭିତ୍ତି ନାହିଁ ।

Comments are closed.