ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ୩୯ ଜଣିଆ ପ୍ରାର୍ଥୀ ତାଲିକାରେ ୩ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦଙ୍କ ନାଁ ସାମିଲ ରହିଛି । କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଦିମାନୀରୁ ଟିକେଟ୍ ମିଳିଛି । ତୋମାରଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟ୍ଟେଲ ଏବଂ ଫାଗନ ସିଂହ କୁଲସ୍ତେ ଯଥାକ୍ରମେ ନରସିଂହପୁର ଏବଂ ନିଓ୍ବାସ ଆସନରୁ ନିର୍ବାଚନ ଲଢ଼ିବେ ।

୩ ଜଣ ସାଂସଦ ଉଦୟ ପ୍ରତାପ ସିଂହ, ରୀତି ପାଠକ ଏବଂ ଗଣେଶ ସିଂହଙ୍କ ନାଁ ଦ୍ବିତୀୟ ତାଲିକାରେ ସାମିଲ ହୋଇଛି । ସେମାନେ ଯଥାକ୍ରମେ ଗଦରଓ୍ବାରା, ସିଦ୍ଧି ଏବଂ ସତନାରୁ ଭାଗ୍ୟ ପରୀକ୍ଷା କରିବେ । ଏହା ସହ ବିଜେପିର ସାଧାରଣ ସଂପାଦକ କୈଳାଶ ବିଜୟବର୍ଗୀୟ ମଧ୍ୟ ବିଧାନସଭା ନିର୍ବାଚନରେ ଲଢ଼ିବେ । ଏହା ପୂର୍ବରୁ ଅଗଷ୍ଟ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ବିଜେପି ।

ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ମିଶାଇ ମୋଟ ୭୮ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ୨୩୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କେଉଁ ଆସନରୁ ମୈଦାନକୁ ଓହ୍ଲାଇବେ ସେନେଇ ସୂଚନା ମିଳିପାରି ନାହିଁ । ସୂଚନାଯୋଗ୍ୟ, ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ କରିଥିଲା । ହେଲେ ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ପରେ ସେ ବିଜେପିରେ ୨୨ ବିଧାୟକଙ୍କ ସହ ସାମିଲ ହୋଇଥିଲେ । ଏହା ପରେ ମଧ୍ୟପ୍ରଦେଶର ଶାସନ ଭାର ବିଜେପି ହାତକୁ ଯାଇଥିଲା ।

Comments are closed.