ଦିଲ୍ଲୀ ପୋଲିସ ଉପରେ ଗର୍ଜିଲେ ସୁପ୍ରିମକୋର୍ଟ, ଏହି କାରଣରୁ

ନୂଆଦିଲ୍ଲୀ :ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରନ ସିଂହଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍ ଏଫଆଇଆର ରୁଜୁ କରୁ ନ ଥିବାରୁ ଗର୍ଜିଛନ୍ତି ସୁପ୍ରିମ କୋର୍ଟ। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଆଜି ଏହି ମାମଲାର ଶୁଣାଣି କରି ବ୍ରିଜ ଭୂଷଣଙ୍କ ବିରୋଧରେ କାହିଁକି ଏଫଆଇଆର ରୁଜୁ କରାଯାଉନି ବୋଲି ପ୍ରଶ୍ନ ପଚାରିଛନ୍ତି।

ଆଜି ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି କହିଛନ୍ତି ଅନ୍ତଃରାଷ୍ଟ୍ରୀୟ ଖେଳରେ ଭାରତର ପ୍ରତିନିଧିତ୍ୱ କରୁଥିବା ଖେଳାଳି ନିଜ ଆବେଦନରେ ଯୌନ ଉତ୍ପୀଡନର ଶିକାର ହୋଇଥିବା ପରି ସାଂଘାତିକ ଆରୋପ ଲଗାଇଛନ୍ତି। ଅଦାଲତରେ ଏହି ମାମଲାର ବିଚାର ହେବା ଜରୁରୀ। ମାତ୍ର ଏପର୍ଯ୍ୟନ୍ତ ବ୍ରିଜ ଭୂଷଣଙ୍କ ନାମରେ ଏଫଆଇଆର କାହିଁକି ରୁଜୁ ହେଉନି।

ଏହି ମାମଲାର ଶୁଣାଣି ଖୁବ୍‌ ଶୀଘ୍ର ଆରମ୍ଭ କରିବାକୁ ବରିଷ୍ଠ ଆଇନଜୀବୀ କପିଲ ସିଲବ୍ ପ୍ରଧାନ ବିଚାରପତିଙ୍କ ନିକଟରେ ନିବେଦନ କରିଛନ୍ତି। ଏହି ମାମଲାର ଶୁଣାଣି ଆରମ୍ଭ ପୂର୍ବରୁ ଏହି ମାମଲା କ’ଣ, ଏଥିରେ କିଏ ପକ୍ଷଭୁକ୍ତ ଓ ଆବେଦନକାରୀ କ’ଣ ଚାହୁଁଛନ୍ତି ବୋଲି ପଚାରିଥିଲେ ସିଜେଆଇ । ୭ ମହିଳା କୁସ୍ତି ଯୋଦ୍ଧା ଏହି ଆବେଦନ କରିଥିବା ବେଳେ ସେମାନଙ୍କ ଏଫଆଇଆର ରୁଜୁ ହୋଇ ନ ଥିବାରୁ ସେମାନେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଥିଲେ ସିବଲ। ସେମାନେ ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରନ ସିଂହଙ୍କ ବିରୋଧରେ ସାଂଘାତିକ ଆରୋପ ଲଗାଇଥିଲେ ବି ସେମାନଙ୍କ ଏଫଆଇଆର ରୁଜୁ ହେଉନି ବୋଲି ସେ କହିଥିଲେ।

ଏହା ଏକ ଗମ୍ଭୀର ଆରୋପ ହୋଇଥିବା ବେଳେ ଏହା ଉପରେ ବିଚାର ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୨୮ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବେ । ମହାସଂଘର ସଭାପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିଲେ ହେଁ ଏଫଆଇଆର ରୁଜୁ କରିବାରେ ବିଳମ୍ବ କରାଯାଉଛି। ତେଣୁ ଏହାକୁ ତ୍ୱରାନ୍ୱିତ କରାଯାଉ ବୋଲି ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଛନ୍ତି।

ମହାସଂଘ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ୭ ଜଣ ମହିଳା ରେସଲର ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କନୌଟ ପ୍ୟାଲେସ ପୁଲିସ ଷ୍ଟେସନରେ ସେମାନେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ହେଲେ ପୁଲିସ୍‌ ଏଯାଏ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେଇ ନାହିଁ।

Comments are closed.