ଚିତାକୁ ନେଇ କେନ୍ଦ୍ର ସରକାରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: କୁନୋ ଜାତୀୟ ଉଦ୍ୟାନରେ ୩ଟି ଚିତାଙ୍କ ମୃତ୍ୟୁ ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହିତ ସେମାନଙ୍କୁ ରାଜସ୍ଥାନ ସ୍ଥାନାନ୍ତରଣ କରିବା ପ୍ରସ୍ତାବ ଉପରେ ବିଚାର କରିବା ଲାଗି ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାରରୁ ମଧ୍ୟପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’କୁ ସ୍ଥାନାନ୍ତରିତ ହେବାର ୨ ମାସ ମଧ୍ୟରେ ୩ଟି ଚିତା ମୃତ୍ୟୁ ଘଟଣାରେ ବିସ୍ମିତ ହୋଇଥିବା ସୁପ୍ରିମ୍‌ କ‌ୋର୍ଟ କେନ୍ଦ୍ର ସରକାରଙ୍କୁ ଆହୁରି ମଧ୍ୟ ପରାମର୍ଶ ଦେଇ କହିଛନ୍ତି ଯେ, ଚିତା ସ୍ଥାନାନ୍ତରଣ ପ୍ରସଙ୍ଗରେ ରାଜନୈତିକ ବିଚାରବୋଧ ରଖା ନ ଯିବା ଉଚିତ।

ବିଚାରପତି ବି.ଆର୍‌. ଗୱଈ ଏବଂ ସଞ୍ଜୟ କାରୋଲ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ବିଶେଷଜ୍ଞମାନଙ୍କ ରିପୋର୍ଟ ଏବଂ ଗଣମାଧ୍ୟମ ରିପୋର୍ଟ ସୂଚାଉଛି ଯେ, ଏତେ ସଂଖ୍ୟକ ଚିତାଙ୍କ ପାଇଁ ‘କୁନୋ ଜାତୀୟ ଉଦ୍ୟାନ’ରେ ଯଥେଷ୍ଟ ସ୍ଥାନ ହେଉନାହିଁ। ସେମାନଙ୍କୁ ଅନ୍ୟାନ୍ୟ ଅଭୟାରଣ୍ୟକୁ ନିଆ ଯିବା ପ୍ରସଙ୍ଗରେ କେନ୍ଦ୍ର ସରକାର ବିଚାର କରିବା ଉଚିତ। ଖଣ୍ଡପୀଠ କହିଛନ୍ତି, ୨ ମାସରୁ କମ୍‌ ସମୟ ମଧ୍ୟରେ ୩ ଚିତାଙ୍କ ମୃତ୍ୟୁ ବଡ଼ ଚିନ୍ତାର ବିଷୟ। ବିଶେଷଜ୍ଞ ଓ ଗଣମାଧ୍ୟମ ଆଲେଖ୍ୟରେ ବିଭିନ୍ନ ମତ ପ୍ରକାଶ ପାଉଛି। ଯାହା ଜଣାପଡୁଛି, ଏତେ ସଂଖ୍ୟକ ଚିତାଙ୍କ ପାଇଁ କୁନୋ ଯଥେଷ୍ଟ ନୁହେଁ। ସେଠାରେ ଗୋଟାଏ ସ୍ଥା‌ନରେ ଗୁଡ଼ାଏ ଚିତା ରହୁଛନ୍ତି। ରାଜସ୍ଥାନରେ ସେମାନଙ୍କ ପାଇଁ ଉପଯୁକ୍ତ ଜାଗାଟିଏ ଖୋଜୁନାହଁ କାହିଁକି? ରାଜସ୍ଥାନରେ ବିରୋଧୀ ଦଳ ଶାସନ କରୁଥିବା ଅର୍ଥ ନୁହେଁ ଯେ, ଆପଣ ସେଠାକୁ ଚିତା ସ୍ଥାନାନ୍ତରଣ କଥା ବିଚାର କରିବେ ନାହିଁ।

କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ଐଶ୍ବର୍ଯ୍ୟା ଭାଟୀ ଅଦାଲତଙ୍କୁ ସୂଚନା ଦେଲେ ଯେ, ଟାସ୍କ୍‌ ଫୋର୍ସ ଚିତା ମୃତ୍ୟୁ ତଦନ୍ତ ଆରମ୍ଭ କରିସାରିଛି ଏବଂ ଅନ୍ୟାନ୍ୟ ଅଭୟାରଣ୍ୟକୁ ସମ୍ଭାବ୍ୟ ଚିତା ସ୍ଥାନାନ୍ତରଣ କଥା ମଧ୍ୟ ବିଚାର ଚାଲିଛି।

Leave A Reply

Your email address will not be published.