ଆନନ୍ଦ ମୋହନଙ୍କ ଜାମିନ ଉପରେ ବିହାର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ପାଟନା : ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଆନନ୍ଦ ମୋହନଙ୍କୁ ଜେଲରୁ ଖଲାସ କରାଯିବା ଘଟଣାରେ ବିହାର ସରକାରଙ୍କୁ ରେକର୍ଡ ରିଲିଜ୍‌ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। ଆନନ୍ଦ ମୋହନ ହେଉଛନ୍ତି ବିହାରର ପୂର୍ବତନ ସାଂସଦ। ସେ ଜଣେ ଆଇଏଏସ୍‌ ଅଫିସରଙ୍କ ହତ୍ୟା ପାଇଁ ଲୋକଙ୍କୁ ଉସକାଇବା ଘଟଣାରେ ଗିରଫ ହୋଇ ଜେଲରେ ଥିଲେ।

ତେବେ ବିହାର ସରକାର ନିୟମରେ ପରିବର୍ତ୍ତନ କରି ଆନନ୍ଦ ମୋହନଙ୍କୁ ଜେଲରୁ ଖଲାସ କରିଥିଲେ। ଏହା ବିରୋଧରେ ୧୯୯୪ରେ ହତ୍ୟାର ଶିକାର ହୋଇଥିବା ଆଇଏଏସ୍‌ ଜି କୃଷ୍ଣାୟୈଙ୍କ ପତ୍ନୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତେଲେଙ୍ଗାନାର ମୂଳବାସିନ୍ଦା କୃଷ୍ଣାୟୈଙ୍କୁ ୧୯୯୪ରେ ସଂଘବଦ୍ଧ ଭାବେ ଆକ୍ରମଣ କରି ପିଟିପିଟି ହତ୍ୟା କରାଯାଇଥିଲେ। ଗ୍ୟାଙ୍ଗଷ୍ଟର ଛୋଟନ ଶୁକ୍ଳାର ଶବ ଶୋଭାଯାତ୍ରାକୁ କୃଷ୍ଣାୟୈଙ୍କ ଗାଡ଼ି ଅତିକ୍ରମ କରୁଥିବା ବେଳେ ମୁଜାଫରପୁର ଜିଲ୍ଲାରେ ଏପରି ଘଟଣା ଘଟିଥିଲା। ଏଥିପାଇଁ ଆନନ୍ଦ ମୋହନ ହିଁ ଲୋକଙ୍କୁ ଉସକାଇଥିଲେ। ଜି କୃଷ୍ଣାୟୈଙ୍କ ପତ୍ନୀ ଉମା କୃଷ୍ଣାୟୈଙ୍କ ପାଇଁ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥାରା ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ରାଜ୍ୟ ସରକାର ଜାଣିଶୁଣି ଜେଲ ନୀତିରେ ପରିବର୍ତ୍ତନ କରିଥିଲେ। ଏହାପରେ ଆନନ୍ଦ ମୋହନଙ୍କୁ ଜେଲରୁ ମୁକୁଳାଇଥିଲେ।

ଆନନ୍ଦ ମୋହନଙ୍କ ସମସ୍ତ ଅପରାଧିକ ରେକର୍ଡ କୋର୍ଟରେ ଉପସ୍ଥାପନ କରିବାକୁ ସର୍ବୋଚ୍ଚ ଅଦାଲତ ବିହାର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଓ ମାମଲାର ଶୁଣାଣି ଅଗଷ୍ଟ ମାସରେ କରିବାକୁ ତାଲିକା ଭୁକ୍ତ କରନ୍ତୁ ବୋଲି ସିଦ୍ଧାର୍ଥ ନିବେଦନ କରିଥିଲେ। ଏହାପରେ କୋର୍ଟ ବିହାର ସରକାରଙ୍କୁ ପୂରା ରେକର୍ଡ ରିଲିଜ୍‌ କରିବାକୁ କହିଛନ୍ତି। ଏହାପୂର୍ବରୁ ମେ’ ୮ ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ଓ ବିହାର ସରକାରଙ୍କୁ ଆନନ୍ଦ ମୋହନଙ୍କ ଆଗୁଆ ଖଲାସ ସମ୍ପର୍କରେ ଜବାବ ରଖିବାକୁ ନୋଟିସ କରିଥିଲେ। ବିହାର ସରକାର ଜେଲ ନିୟମରେ ସଂଶୋଧନ କରିବା ପରେ ଏପ୍ରିଲ ୨୭ରେ ଆନନ୍ଦ ମୋହନ ସହର୍ସା ଜେଲରୁ ଖଲାସ ହୋଇଥିଲେ। ତାଙ୍କ ସହ ୨୦ରୁ ଅଧିକ କଏଦୀଙ୍କୁ ମଧ୍ୟ ଖଲାସ କରାଯାଇଥିଲା। ଜେଲରେ ୧୪ ବର୍ଷରୁ ଅଧିକ ସମୟ ରହିଥିବା କଏଦୀଙ୍କୁ ଖଲାସ କରିବା ପାଇଁ ସରକାର ଜେଲ ନିୟମରେ ସଂଶୋଧନ କରିଛନ୍ତି।

Comments are closed.