ସିବିଆଇ କୁ ଏମିତି କିଛି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିଜକୁ ‘ରିପବ୍ଲିକ୍ ଅଫ୍ ଇଣ୍ଡିଆ’ କହିପାରିବ ନାହିଁ ବୋଲି ଶୁକ୍ରବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ସିବିଆଇ ଏକ ମାମଲାରେ ନିଜକୁ ‘ରିପବ୍ଲିକ୍ ଅଫ୍ ଇଣ୍ଡିଆ’ର ପ୍ରତିନିଧି ଦର୍ଶାଇ ଆବେଦନ କରିଥିବାରୁ ଖଣ୍ଡପୀଠ ଏହା କହିଛନ୍ତି। ଆପଣ କାହିଁକି ‘ରିପବ୍ଲିକ୍ ଅଫ୍ ଇଣ୍ଡିଆ’ ଭାବେ ଆବେଦନ କରିଛନ୍ତି? ଆପଣ କେନ୍ଦ୍ର କିମ୍ବା ଗଣତନ୍ତ୍ରର ପ୍ରତିନିଧିତ୍ୱ କରୁନାହାନ୍ତି ବୋଲି ଜଷ୍ଟିସ୍ ଏଏସ୍ ଓକା ଓ ପଙ୍କଜ ମିଥଲଙ୍କୁ ନେଇ ଗଠିତ ଖଣ୍ଡପୀଠ ସିବିଆଇକୁ କହିଛନ୍ତି ।

ଏକ ମାମଲାରେ ଜାମିନ ପ୍ରଦାନ ବିରୋଧରେ କରାଯାଇଥିବା ଆବେଦନରେ ଏଜେନ୍ସି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍‌ଜି) ଐଶ୍ୱର୍ଯ୍ୟା ଭଟ୍ଟିଙ୍କୁ ସମ୍ବୋଧିତ କରି ଖଣ୍ଡପୀଠ କହିଲେ ଯେ, ଏଜେନ୍ସି ‘ରିପବ୍ଲିକ୍ ଅଫ୍ ଇଣ୍ଡିଆ’ ନାମରେ ଅଦାଲତରେ ପିଟିସନ୍ ଦାଖଲ କରିବା ଠିକ୍ ନୁହେଁ। ଏହାପରେ ଖଣ୍ଡପୀଠ ‘ରିପବ୍ଲିକ୍ ଅଫ୍ ଇଣ୍ଡିଆ’ ଶବ୍ଦକୁ ବାଦ୍ ଦେଇ କୋର୍ଟର ରେଜିଷ୍ଟ୍ରି ଦ୍ୱାରା ମାମଲାର କାରଣ-ଶୀର୍ଷକଟି ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଏସଜି ଭଟ୍ଟି କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱୀକାର କରିଛନ୍ତି। ଆଇନ ଅନୁଯାୟୀ ସିବିଆଇ ଏକ ସ୍ବାଧୀନ ଏଜେନ୍ସି, ଯାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥା ବା ଏଜେନ୍ସି ବିରୋଧରେ ମଧ୍ୟ ବେଆଇନ କାର୍ଯ୍ୟର ତଦନ୍ତ କରିଥାଏ।

Comments are closed.