ପୁଣି କେନ୍ଦ୍ର ଓ ଇସିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ଜାଣନ୍ତୁ କାହିଁକି

ଭୁବନେଶ୍ୱର :ଯେଉଁ ସବୁ ରାଜନେତାଙ୍କ ନାଁରେ ଅତ୍ୟନ୍ତ ସମ୍ବେଦନଶୀଳ ମାମଲାରେ ଚାର୍ଜଫ୍ରେମ ହୋଇଛି ଓ ସେମାନେ ଏକାଧିକ ଅସାମାଜିକ କାମରେ ଲିପ୍ତ ରହିଛନ୍ତି, ସେମାନଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁମତି ନ ମିଳିବା ଦରକାର ବୋଲି ଦାବି କରି ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ଏପରି ରାଜନେତାଙ୍କ ବିଧାୟକ, ସାଂସଦ ଓ ମନ୍ତ୍ରୀ ପଦ ମଧ୍ୟ ରଦ୍ଦ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ଜବାବ ମାଗିଛନ୍ତି।

ଜଷ୍ଟିସ କେଏସ୍‌ ଯୋଶେଫ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି, “ଯଦି ଆମେ ସମସ୍ତେ ଗୋଟିଏ ଦେଶ ଭାବେ ରହିବା, ତା’ହହେଲେ ସମସ୍ତଙ୍କ ପାଖରେ ଉପଯୁକ୍ତ ଚରିତ୍ର ଓ ମୂଲ୍ୟବୋଧ ରହିବା ଦରକାର। ଆପଣମାନେ ଦୁର୍ନୀତିର ସଂଖ୍ୟା ଦେଖନ୍ତୁ। ପଶ୍ଚିମ ଦେଶ ଗୁଡ଼ିକରେ ସାଧାରଣ ଲୋକ ଏଥିପାଇଁ ଆଦୌ ସମସ୍ୟାର ସମ୍ମୁଖୀନ ହେଉନାହାନ୍ତି। ଏଠାରେ ଦୁର୍ନୀତି ତୃଣମୂଳସ୍ତରରୁ ଆରମ୍ଭ ହେଉଛି। ଏହା ହେଉଛି ସମାଜର ପ୍ରକୃତ ସମସ୍ୟା।”

ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟୟ କହିଛନ୍ତି, ଯଦି କୋର୍ଟ କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଚାର୍ଜଫ୍ରେମ କରୁଛନ୍ତି, ତା’ହେଲେ ତାଙ୍କୁ ନିଲମ୍ବିତ କିମ୍ବା ବହିଷ୍କୃତ କରାଯାଉଛି। କିନ୍ତୁ ଜଣେ ରାଜନୀତିକ ପ୍ରାର୍ଥୀ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ନ ହେବା ଯାଏ କିମ୍ବା ୨ରୁ ୩ ବର୍ଷ ଜେଲଦଣ୍ଡ ନ ପାଇବା ଯାଏ ସେ ମନ୍ତ୍ରୀ, ସାଂସଦ କିମ୍ବା ବିଧାୟକ ଭାବେ କାମ କରୁଛନ୍ତି।

ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଚାର୍ଜଫ୍ରେସ ହେଉଛି, ସେ ପିଓନ ହେବାକୁ ମଧ୍ୟ ଯୋଗ୍ୟ ନୁହନ୍ତି। ହେଲେ ଏଠାରେ ରାଜନେତାମାନେ ବିଧାୟକ, ଏପରି କି ଆଇନ ମନ୍ତ୍ରୀ ମଧ୍ୟ ହୋଇଯାଉଛନ୍ତି ବୋଲି ସେ କହିଛନ୍ତି।

Comments are closed.