ଶ୍ରୀମନ୍ଦିରରୁ ଖସିଲା ପଥର
ପୁରୀ :ବାରମ୍ବାର ଶ୍ରୀମନ୍ଦିରରୁ ପଥର ଖସିବା ପରେ ଭକ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଯାହା ଶ୍ରୀମନ୍ଦିର ମୁଦୁଲି ଦ୍ବାର ପାର୍ଶ୍ବ ନାଟମଣ୍ଡପ ଉପରୁ ଏହି ପଥର ଖସିଥିବା ବେଳେ ଏହା ଆକାରରେ ବହୁତ ବଡ଼ ବୋଲି ସେବାୟତମାନେ କହିଛନ୍ତି। ଫଳରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ଏହା ବିରାଟ ପ୍ରଶ୍ନବାଚୀ ଠିଆ କରିଛି। ପ୍ରତ୍ନତତ୍ତ୍ବ ବିଭାଗର ରକ୍ଷଣାବେକ୍ଷଣରେ ଅବହେଳା ଏହି ବିପତ୍ତି ଆଣିଦେଇଛି ବୋଲି ଅଭିଯୋଗ ଉଠିଛି। ଅନ୍ୟପଟେ ଖସିଥିବା ପଥରକୁ ସଂଗ୍ରହ କରି ଶ୍ରୀମନ୍ଦିର ପ୍ରଶାସନ ଏହାକୁ ପ୍ରତ୍ନତତ୍ତ୍ବ ବିଭାଗ ନିକଟରେ ଜିମା ଦେଇଛି।
ମିଳିଥିବା ସୂଚନା ମୁତାବକ, ଦୀପାବଳି ସମୟରେ ଶ୍ରୀମନ୍ଦିର ବେହେରଣ ଦ୍ବାର ଓ ମୁଦୁଲି ଦ୍ବାର ମଝିରେ ଚର୍ଚ୍ଚାମାନେ ବସୁଥିବା ସ୍ଥାନରେ ଏହି ପଥର ଖସିଥିଲା। ଯାହାର ଆକାର ଦେଢ଼ ଫୁଟ ହେବ ବୋଲି ସେବାୟତମାନେ କହିଛନ୍ତି। ଏହି ପଥର ଖସିବାକୁ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେବାୟତମାନେ ପ୍ରତ୍ନତତ୍ତ୍ବ ବିଭାଗକୁ ଏଥିପାଇଁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅପରପକ୍ଷେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ କହିଛନ୍ତି, କେଉଁସ୍ଥାନରୁ ଓ କେଉଁ କାରଣରୁ ପଥର ଖସିଛି ତାହା ଠିକ୍ ଭାବେ ଜଣାପଡ଼ିନାହିଁ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏହି ପଥର ଆମକୁ ହସ୍ତାନ୍ତର କରିଛି। ଯାହାର ଓଜନ ପ୍ରାୟ ୩ କେଜି ହେବ। ଖୁବଶୀଘ୍ର ଆମେ ପଥର ଖସିଥିବା ସ୍ଥାନ ଅନୁଧ୍ୟାନ କରିବୁ।
Comments are closed.