ହାର ମାନି ଛତ୍ରଭଙ୍ଗ ଦେଉଛନ୍ତି ଋଷିଆ ସେନା

କିଭ୍‌ : ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ୍‌ ଆକ୍ରମଣର ନିର୍ଦ୍ଦେଶ ଦେଇଥିଲେ ନିଜ ସୈନ୍ୟଙ୍କୁ। ସାମରିକ ଅପରେଶନ ବଳରେ ୨ ଦିନ ମଧ୍ୟରେ ୟୁକ୍ରେନ୍‌କୁ ସମ୍ପୂର୍ଣ୍ଣ ଦଖଲ କରିବେ ବୋଲି ସେତେବେଳେ ବାହୁସ୍ଫୋଟ ମାରିଥିଲେ। ହେଲେ ୟୁକ୍ରେନ୍‌ରେ ମସ୍କୋର ଧ୍ୱଂସଲୀଳାକୁ ରବିବାର ୨୦୦ ଦିନ ପୂରିଥିବାବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଅସୀମ ଧୈର୍ଯ୍ୟ ଓ ସାହସ ଆଗରେ ହାର ମାନିଛି ରୁଷିଆ ସେନା। ଖର୍କିଭ୍‌ ତଥା ଆଖପାଖ ଅଞ୍ଚଳକୁ ପୁନଃ ଦଖଲ କରିଛନ୍ତି ୟୁକ୍ରେନୀୟ ସୈନ୍ୟ। ଅନେକ ସ୍ଥାନରେ ରୁଷିଆର ଶକ୍ତିଶାଳୀ ସଶସ୍ତ୍ର ବଳ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମରିକ ଉପକରଣ ଛାଡ଼ି ପଳାୟନ କରୁଥିବା ଦେଖିବାକୁ ମିଳିଛି। ଫଳରେ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ପୁଟିନ୍‌ଙ୍କ ସ୍ବପ୍ନ ଧୂଳିସାତ୍‌ ହୋଇଯାଇଥିବା ଅନ୍ତର୍ଜାତୀୟ ବ୍ୟାପାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣକୁ ରବିବାର ୨୦୦ ଦିନ ପୂରିଛି। ୟୁକ୍ରେନୀୟ ସୈନ୍ୟମାନେ ରୁଷିଆ ପ୍ରତିପକ୍ଷଙ୍କୁ ମୁହଁତୋଡ଼ ଜବାବ ଦେଇ ଦେଶର ଉତ୍ତର, ଦକ୍ଷିଣ ଓ ପୂର୍ବ ଭାଗରେ ଅନେକ ଅଞ୍ଚଳକୁ ପୁନଃ ଦଖଲ କରିଛନ୍ତି। ଫଳରେ ରୁଷୀୟ ସୈନ୍ୟ ଛତ୍ରଭଙ୍ଗ ଦେଇ ସମ୍ପୃକ୍ତ ଅଞ୍ଚଳରୁ ପଳାୟନ କରିଛନ୍ତି। ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ତୁହାକୁ ତୁହା ରକେଟ ଓ ମିଶାଇଲ ମାଡ଼ କରି ରୁଷିଆ ଯେଉଁ ଅଞ୍ଚଳଗୁଡ଼ିକୁ ଦଖଲ କରିଥିଲା ଏବେ ସେସବୁକୁ ପୁଟିନ୍‌ଙ୍କ ସଶସ୍ତ୍ର ବଳ ହାତରୁ ପୁଣି ଛଡ଼ାଇ ଅଣାଯିବ ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏକ ଟେଲିଭିଜନ୍‌ ବାର୍ତ୍ତାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଜେଲେନ୍‌ସ୍କିଙ୍କ ଏହି ପରାକ୍ରମକୁ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପ୍ରଶଂସା କରିଛନ୍ତି।

ବିଶେଷକରି ବିଗତ ୨୪ ଘଣ୍ଟା ମଧ୍ୟରେ ଖର୍‌କିଭ୍‌ ରିଜିୟନ୍‌ରେ ୟୁକ୍ରେନ୍‌ ହାସଲ କରିଥିବା ସଫଳତା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Comments are closed.