ହ୍ରାସପାଉଛି ଘଡ଼ିଆଳ କୁମ୍ଭୀରଙ୍କ ସଂଖ୍ୟା

ମହାନଦୀର ସାତକୋଶିଆ ଗଣ୍ଡରେ ଘଡିଆଳ କୁମ୍ଭୀରଙ୍କ ବଂଶବୃଦ୍ଧି ଘଟୁନି। ୪୬ବର୍ଷ ଭିତରେ ପ୍ରାୟ ୮୮୦ ଘଡିଆଳ କୁମ୍ଭୀର ମହାନଦୀର ସାତକୋଶିଆ ଗଣ୍ଡ ଅଞ୍ଚଳରେ ଛଡାଯାଇଛି। ତେବେ ୨୦୨୩ କୁମ୍ଭୀର ଗଣନା ରିପୋର୍ଟ କହୁଛି ୮ଟି ଘଡିଆଳ କୁମ୍ଭୀର ଅଛନ୍ତି। ଘଡିଆଳ କୁମ୍ଭୀରର ବଂଶବୃଦ୍ଧି ପାଇଁ ବାରମ୍ବାର ପ୍ରୟାସ ସତ୍ତ୍ୱେ ସୁଫଳ ମିଳୁନାହିଁ। ମହାନଦୀର ଜଳରେ ଘଡିଆଳ କୁମ୍ଭୀର ଅନ୍ୟ ଅଞ୍ଚଳକୁ ଚାଲି ଯାଉଛନ୍ତି ନା ପରିବେଶ ସହ ଖାପ ଖୁଆଇ ଚଳି ନ ପାରି ପ୍ରାଣ ହରାଉଛନ୍ତି ତାହା ତଦନ୍ତସାପେକ୍ଷ। ତେବେ ଘଡିଆଳ କୁମ୍ଭୀରଙ୍କ ସଂଖ୍ୟା ହ୍ରାସ ପାଇବା ନିଶ୍ଚିତ ପରିବେଶ ପାଇଁ ଚିନ୍ତାର କାରଣ।

 

ସାତକୋଶିଆ ଅଭୟାରଣ୍ୟ ଅନୁଗୋଳ, ବୌଦ୍ଧ ଓ ନୟାଗଡ ଜିଲାକୁ ଲାଗି ରହିଛି। ବାଘ ଓ କୁମ୍ଭୀରର ସୁରକ୍ଷା ପାଇଁ ଅନୁଗୋଳ, ବୌଦ୍ଧ ଓ ନୟାଗଡ଼ରେ ଅନୁଗୋଳ ଓ ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଗଠନ କରାଯାଇଛି। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼ରେ ରହିଛି କୁସଙ୍ଗ ଓ ଛାମୁଣ୍ଡିଆ ବନାଞ୍ଚଳ। ଏଭଳିସ୍ଥଳେ ୧୯୭୭ରେ ସାତକୋଶିଆ ଗଣ୍ଡରେ ୨୬ ଘଡିଆଳ କୁମ୍ଭୀର ଛଡା ଯାଇଥିଲା। ପରେ ୧୯୭୮ରେ ୫୬, ୧୯୮୦ରେ ୨୫, ୧୯୮୨ରେ ୪୩, ୧୯୮୪ରେ ୩୨, ୧୯୮୫ରେ ୧୦୦, ୧୯୮୬ରେ ୧୨୪, ୧୯୮୭ରେ ୧୨୬, ୧୯୮୮ରେ ୧୮, ୧୯୮୯ରେ ୫୯, ୧୯୯୫ରେ ୭୮, ୧୯୯୬ରେ ୫୧, ୧୯୯୮ରେ ୧୦୫, ୨୦୦୪ରେ ୫, ୨୦୧୫ରେ ୪, ୨୦୧୬ରେ ୮, ୨୦୧୯ରେ ୫, ୨୦୨୦ରେ୨ଟି ଏପରି ମୋଟରେ ୮୬୭ଟି କୁମ୍ଭୀର ଛଡାଯାଇଛି। ଏହି ୮୬୭ ଘଡିଆଳ କୁମ୍ଭୀର ମଧ୍ୟରୁ ୧୯୮୬ରୁ ୨୦୧୪ ମଧ୍ୟରେ ୫୨୩ କୁମ୍ଭୀର ନନ୍ଦନକାନନରୁ ଅଣାଯାଇ ଛଡାଯାଇଛି। ନନ୍ଦନକାନନରୁ ୧୯୮୬ରେ ୩୫, ୧୯୮୭ରେ ୪ଥରରେ ୧୬୪, ୧୯୮୯ରେ ୬୨, ୧୯୯୩ରେ ୭୨, ୧୯୯୫ରେ ୧୦୦, ୧୯୯୮ ରେ ୬୫, ୨୦୦୧ରେ ୧୦, ୨୦୧୪ରେ ୧୫ ଘଡିଆଳ କୁମ୍ଭୀର ଆସିଛନ୍ତି। ତେବେ ଏଥିରୁ ୭ଟିର ମୃତ୍ୟୁ ହୋଇଥିଲା। ଅବଶିଷ୍ଟ କୁମ୍ଭୀର ଟିକରପଡା କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ଛଡା ଯାଇଥିବା ଜଣାପଡିଛି। ଏଭଳିସ୍ଥଳେ କୁମ୍ଭୀର ସଂଖ୍ୟା ହ୍ରାସ ପାଇ ଚାଲିବା ଚିନ୍ତାର କାରଣ ପାଲଟିଛି। କୁମ୍ଭୀର ଗଣନା ରିପୋର୍ଟ କହୁଛି ୧୯୭୫-୭୬ରେ ୧୧, ୨୦୦୨-୦୩ରେ ୩, ୨୦୦୩-୦୪ରେ ୧, ୨୦୦୪-୦୫ରେ ୩, ୨୦୦୫-୦୬ରେ ୦୨, ୨୦୦୬-୦୭ରେ ୨, ୨୦୦୭-୦୮ରେ ୩, ୨୦୦୮-୦୯ରେ ୩, ୨୦୦୯-୧୦ରେ ୩, ୨୦୧୦-୧୧ରେ ୩, ୨୦୧୧-୧୨ରେ ୨, ୨୦୧୨-୧୩ରେ ୨, ୨୦୧୩-୧୪ରେ ୨, ୨୦୧୪-୧୫ରେ ୧, ୨୦୧୫-୧୬ରେ ୩, ୨୦୧୬-୧୭ରେ ୯, ୨୦୧୭-୧୮ରେ ୭, ୨୦୧୮-୧୯ରେ ୮ଟି ଘଡିଆଳ କୁମ୍ଭୀର ଥିଲେ। ଅନ୍ୟପକ୍ଷେ ୨୦୨୦ ରିପୋର୍ଟରେ ୩ ଥିବାବେଳେ ପୁଣି ୨ଟି କୁମ୍ଭୀର ଛଡାଯିବା ପରେ ସଂଖ୍ୟା ୫ରେ ପହଞ୍ଚତ୍ ଥିଲା। ୨୦୨୧ ଗଣନାରେ ୬ଟି ଥିବାବେଳେ ୧୨ଟି ଘଡିଆଳ କୁମ୍ଭୀର ମହାନଦୀରେ ଛଡାଯାଇଥିଲା। ୨୦୨୩ ଗଣନାରେ ଘଡିଆଳ କୁମ୍ଭୀର ୮ ଥିବାବେଳେ ମଗର ୩୯ ରହିଥିବା ଜଣାପଡିଛି। ଅପରପକ୍ଷେ ୨୦୨୧ରେ ୨୫ଟି ଘଡିଆଳ କୁମ୍ଭୀର ସାତକୋଶିଆ ଗଣ୍ଡରେ ଅଣ୍ଡା ଦେଇ ଛୁଆ କରିଥିଲେ। ସେହିପରି ୨୦୨୨ରେ ୩୦ ଅଣ୍ଡା, ୨୦୨୩ରେ ୩୫ ଅଣ୍ଡା ଘଡିଆଳ କୁମ୍ଭୀର ଦେଇଥିଲେ। ଏମାନଙ୍କର ଛୁଆ ବି ହୋଇଥିଲା। ପରବର୍ତ୍ତୀ ସମୟରେ ଏମାନଙ୍କର ଖୋଜ ଖବର ମିଳୁନି। ଗତ ୨୫ ତାରିଖରେ ପୁଣି ୩୫ଟି ଛୁଆ ଜନ୍ମ ନେଇଛନ୍ତି। ଛୁଆମାନଙ୍କୁ ସୁରକ୍ଷା ଦିଆଚାଲିଛି।

 

ବଂଶବୃଦ୍ଧି କରୁଛି ମଗର : ସାତକୋଶିଆ ଗଣ୍ଡରେ ମଗର କୁମ୍ଭୀର ବଂଶବୃଦ୍ଧି କରି ଚାଲିଛି। ୨୦୧୯ ଗଣନାରେ ୫୦ ଥିବାବେଳେ ୨୦୨୦କୁ ସଂଖ୍ୟା ୫୨ରେ ପହଞ୍ଚତ୍ ଥିଲା। ତେବେ ୨୦୨୩ରେ ମଗରଙ୍କ ସଂଖ୍ୟା ୩୯ରେ ରହିଛି। ଏଠାରେ ଘଡିଆଳ କୁମ୍ଭୀର ସଂଖ୍ୟା କମି ଯାଉଥିବାବେଳେ ମଗର ସଂଖ୍ୟା ବଢ଼ି ଚାଲିଛି। କିନ୍ତୁ ୨୦୨୩ ଗଣନାରେ ମଗର ସଂଖ୍ୟା କମ୍‌ ରହିଛି। ଏନେଇ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼ର ଡିଏଫ୍‌ଓ ଫାଲଗୁନି ସାରଥି ମଲିକ କୁହନ୍ତି, ଶାନ୍ତ କୁମ୍ଭୀର ହେଲେ ଘଡିଆଳ। ସେମାନଙ୍କ ଉପରେ ମଗରଙ୍କ ଆକ୍ରମଣ ବଢ଼ି ଚାଲିଛି। ତେବେ ଅଧିକାଂଶ ସମୟରେ ଘଡିଆଳ କୁମ୍ଭୀର ଛଡା ଯାଉଥିଲେ ମଧ୍ୟ ବଂଶବୃଦ୍ଧି ନ ଘଟି ହ୍ରାସ ପାଉଛି ବୋଲି କହିଛନ୍ତି।

Comments are closed.