ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସୁଛି ଭଉଣୀ
ଭୁବନେଶ୍ୱର : ଆଜି ପବିତ୍ର ରାକ୍ଷୀ ପୁର୍ଣ୍ଣିମା। ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଗୋଟିଏ ଡୋରିରେ ବାନ୍ଧି ରଖେ ରାକ୍ଷୀ । ଭାଇର ଉତ୍ତମ ସ୍ୱାସ୍ଥ୍ୟ ଏବଂ ନୀରୋଗ ଜୀବନ କାମନା କରି ସୁରକ୍ଷାକବଚ ସ୍ୱରୂପ ଭଉଣୀଟିଏ ବାନ୍ଧିଥାଏ ଭାଇ ହାତରେ ରାକ୍ଷୀ। ଭାଇ ହାତରେ ଭଉଣୀର ଏହା ସ୍ନେହ, ଶ୍ରଦ୍ଧାର ପ୍ରତୀକ। ଯାହା ବଦଳରେ ଭାଇ ବି ଦେଇଥାଏ ଭଉଣୀକୁ କିଛି ପ୍ରୀତି ଉପହାର ଓ ସବୁ ବିପଦରୁ ଭଉଣୀକୁ ରକ୍ଷା କରିବ ବୋଲି ପ୍ରତିଶ୍ରୁତି ଦେଇଥାଏ ଭାଇ ।
ଏହି ଦିନକୁ ଭଉଣୀମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥାନ୍ତି। ଯେତେ ଦୂରରେ ଥିଲେ ବି ଭଉଣୀ ଭାଇକୁ ଓ ଭାଇ ଭଉଣୀକୁ ମନେ ପକାଏ। ରାକ୍ଷୀ ବାନ୍ଧୀ ନିଜର ସ୍ନେହ ଓ ଭଲ ପାଇବା ଅଜାଡି ଦିଏ।
ଭାଇଭଉଣୀର ସମ୍ପର୍କକୁ ନିବିଡ଼ କରିବା ପାଇଁ ରକ୍ଷାବନ୍ଧନ ହେଉଛି ଏକ ନିଆରା ପରମ୍ପରା। ତେବେ ଗତ ଦୁଇ ବର୍ଷ ଧରି କରୋନା କଟକଣାରେ ରାକ୍ଷୀ ପାଳନ ହେଉଥିବା ବେଳେ ଏଥର କିନ୍ତୁ ଧୁମ୍ ଧାମ୍ ରେ ରାକ୍ଷୀ ପୁର୍ଣ୍ଣିମାକୁ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ। ଏଥିପାଇଁ ସମସ୍ତେ ପୁର୍ବ ପ୍ରସ୍ତୁତି କରିଛନ୍ତି। ଭଳିକି ଭଳି ଡିଜାଇନ୍ ରାକ୍ଷୀମାନ ସବୁ ଭଉଣୀମାନେ କିଣି ରଖିଛନ୍ତି ଭାଇ ହାତରେ ବାନ୍ଧିବା ଲାଗି। ଏଥି ସହିତ ବିଭିନ୍ନ ପ୍ରକାର ପିଠା ଏବଂ ମିଠା ସଂଗ୍ରହ କରିଛନ୍ତି, ଏହି ଦିନ ପ୍ରତ୍ୟୁଷରୁ ସ୍ନାନ କରି ଦୀପ ଜଳାଇ ଚନ୍ଦନ, ସିନ୍ଦୁର, ଅରୁଆ ଚାଉଳ ଓ ରାକ୍ଷୀ ସହ ପୂଜା ଥାଳି ପ୍ରସ୍ତୁତ କରି ଭାଈକୁ ଅପେକ୍ଷା କରିଥାନ୍ତି। ଭଗବାନଙ୍କୁ ପୂଜା କରି ଭଉଣୀମାନେ ଭାଈ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ଏହା ଭଉଣୀ ପାଇଁ ଭାଇର ରକ୍ଷା କବଜ ବୋଲି କୁହାଯାଏ। ପବିତ୍ର ରାକ୍ଷୀ ପୁର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମନୀତି ଓ ରାକ୍ଷୀଲାଗି ନୀତି ଅନୁଷ୍ଠିତ ହୁଏ। ଭଉଣୀ ସୁଭଦ୍ରା ରତ୍ନ ସିଂହାସନରେ ବିରାଜିତ ହୋଇ ଦୁଇ ଭାଇ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ରାକ୍ଷୀ ବାନ୍ଧନ୍ତି।
Comments are closed.