ରାଜ୍ୟରେ ବାଘ ଓ ହାତୀ ଗଣିବେ ସରକାର

ଭୁବନେଶ୍ୱର:ଏଣିକି ରାଜ୍ୟ ସରକାର ନିଜସ୍ୱ ପ୍ରଚେଷ୍ଟାରେ ବାଘ ଓ ହାତୀ ଗଣନା କରିବେ । ଆଉ କେନ୍ଦ୍ର ସରକାରଙ୍କ ସଂସ୍ଥା ଉପରେ ନିର୍ଭର ନକରି ଓଡ଼ିଶାର ଜଙ୍ଗଲରେ ରହୁଥିବା ବାଘ ଓ ହାତୀ ଗଣନା କାର୍ଯ୍ୟ ନିଜସ୍ୱ ଖର୍ଚ୍ଚରେ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ନେଉଥିବା ଜିଏସଟି ବୋଝକୁ ହାଲକା କରିବା ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି’ ନାଁରେ ୫୦କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ପଂଚମ ପାଳି ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଙ୍ଗଲ ଓ ପରିବେଶ ବିଭାଗର ଗତ ୪ବର୍ଷର କାର୍ଯ୍ୟର ସମୀକ୍ଷା କରିବା ପରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ୍ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୨୦୧୯ ମସିହା ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପରିବେଶ ପର୍ଯ୍ୟଟନ ବିକଶିତ କରାଯାଇଛି । ଏହି ବିଭାଗର ଅଧୀନରେ ୪୯ ଗୋଟି ପରିବେଶ ପର୍ଯ୍ୟଟନ କେନ୍ଦ୍ର ବିକାଶ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି ଓ ଆଉ ୬ ଗୋଟି ନୂତନ କେନ୍ଦ୍ରର କାର୍ଯ୍ୟକ୍ଷମ କରାଯିବାର ଅଛି । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ୬୫୦ ସ୍ଥାନୀୟ ବାସିନ୍ଦାଙ୍କୁ ସିଧାସଳଖ ରୋଜଗାର ମିଳିପାରିଛି । ଏହି ପ୍ରକଳ୍ପ ମାଧ୍ୟମରେ ଏବେ ବାର୍ଷିକ ୧୩ କୋଟି ଟଙ୍କାର ରାଜସ୍ୱ ଆଦାୟ ସମ୍ଭବ ହୋଇପାରିଛି । ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି ।

ଓଡ଼ିଶା ଜଙ୍ଗଲ ବିଭାଗ କୋଡ୍ ସଂଶୋଧନ, ପରିବେଶପର୍ଯ୍ୟଟନ ର ବିକାଶ, ଭରତପୁର ଓ ଚନ୍ଦକା ଅଭୟାରଣ୍ୟ ଠାରେ ପ୍ରାକୃତିକ ଉଦ୍ୟାନର ବିକାଶ, ମଣିଷ ଓ ହାତୀ ଲଢେଇର ପ୍ରତିକାର, ପ୍ଲାଷ୍ଟିକର ଏକକ ବ୍ୟବହାର ଉପରେ କଟକଣା, ୧୪୦୦୦ ହେକ୍ଟର ଲ୍ୟାଣ୍ଡ ବ୍ୟାଙ୍କ ପ୍ରତିଷ୍ଠା ,ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୩,୭୧,୧୬୩ ହେକ୍ଟର ଜମିରେ ନୂତନ ବନୀକରଣ ଓ ପଥପାର୍ଶ୍ୱ ବନୀକରଣ ଯୋଜନାରେ୧୬,୩୪୬ ରନିଂ କି.ମି.ର ବନୀକରଣ କରାଯାଇଛି । ଏପର୍ଯ୍ୟନ୍ତ ୨୬୫ ଗୋଟି ଜଙ୍ଗଲ ବ୍ଲକର ପୁନଃ-ବିଜ୍ଞପ୍ତି କରିବାରେ ଓଡ଼ିଶା ଦେଶରେ ପ୍ରଥମ । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ନିର୍ଦେଶନାମାର ପ୍ରାବଧାନ ବ୍ୟତୀତ ୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁଦାନ ପ୍ରଦାନ କରାଯାଇ ୮୨୦ ପରିବାରଙ୍କୁ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟ ମଧ୍ୟରୁ ସ୍ୱଇଚ୍ଛାରେ ସ୍ଥାନାନ୍ତରିତ କରାଯାଇପାରିଛି ।

ସେହିପରି ୨ଟି ପର୍ଯ୍ୟାୟରେ ପ୍ରାୟ ୮ ଲକ୍ଷ ୧୫ ହଜାର କେନ୍ଦୁପତ୍ର ହିତାଧିକାରୀମାନଙ୍କ ନିମନ୍ତେ ମୋଟ ୧୯୪ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ୱସ୍ତରୀୟ ଉଦ୍ୟାନ ଭାବରେ ବିକଶିତ କରାଯିବ । ସେହିପରି ଗୋଷ୍ଠୀ ସହଭାଗିତାରେ ପରିବେଶ ପର୍ଯ୍ୟଟନକୁ ଆହୁରି ଉନ୍ନତ କରାଯିବ ।

Comments are closed.