ଜି-୨୦ ସମ୍ମିଳନୀ ସୁନା ରୁପା ଥାଳିରେ ପରସା ଯିବ ଅନ୍ନ

ନୂଆଦିଲ୍ଲୀ: ସେପ୍ଟେମ୍ବର ୯-୧୦ରେ ଭାରତ ଆୟୋଜନ କରୁଛି ଜି୨୦ ଶିଖର ସମ୍ମିଳନୀ। ସ୍ବତନ୍ତ୍ର ଭାବରେ ବିଶ୍ବର ନେତା ଓ ବିଦେଶୀ ପ୍ରତିନିଧିମାନଙ୍କୁ ଅଭ୍ୟର୍ଥନା କରିବା ଲାଗି ଯୋଜନା କରାଯାଇଛି। ଏଥର ସେମାନଙ୍କୁ ମିଳିବ ଏକ ଅନନ୍ୟ ନୈଶଭୋଜନର ଅନୁଭୂତି। ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପ୍ରତିଫଳିତ କରୁଥିବା ସୁନା-ପାଣିଦିଆ ଓ ରୁପା ଥାଳିରେ ସେମାନଙ୍କୁ ଖାଦ୍ୟ ପରଷାଯିବାର ବ୍ୟବସ୍ଥା କରାଯାଇଛି। ପ୍ରସିଦ୍ଧ ଆଇଟିସି ତାଜ ହୋଟେଲ ସମେତ ୧୧ଟି ହୋଟେଲକୁ ଉକ୍ତ ବାସନକୁସନ ପଠାଇ ଦିଆଯାଇଛି। ଯେଉଁ କମ୍ପାନିକୁ ଏହି ବାସନକୁସନ ପାଇଁ ବରାଦ ଦିଆଯାଇଥିଲା, ତା’ର ମାଲିକ ରାଜୀବ ଓ ତାଙ୍କ ପୁଅଙ୍କ କହିବା ଅନୁସାରେ, ସେମାନେ ତିନିପୁରୁଷ ହେଲା ଏପରି ବାସନକୁସନ ତିଆରି କରି ଆସୁଛନ୍ତି।

ସେମାନଙ୍କ ଲକ୍ଷ୍ୟ ହେଉଛି ଭାରତ ଆସୁଥିବା ବିଦେଶୀ ପର୍ଯ୍ୟଟକ ଓ ଅତିଥିମାନଙ୍କୁ ଡାଇନିଂ ଟେବୁଲରେ ଭାରତୀୟ ସ୍ବାଦ ଚଖାଇବା। ଏହି ବାସନକୁସନଗୁଡ଼ିକରେ ଜୟପୁରୀ, ଉଦୟପୁରୀ, ବାରାଣସୀ ଓ କର୍ଣ୍ଣାଟକୀ କାରୁକାର୍ଯ୍ୟ ରହିଛି, ଯାହା ଭାରତର ସାଂସ୍କୃତିକ ବିବିଧତାକୁ ଦର୍ଶାଉଛି। ୧୧ଟି ହୋଟେଲକୁ ଉକ୍ତ ବାସନକୁସନ ପଠାଯାଇଛି ଏବଂ ହୋଟେଲଗୁଡ଼ିକର ମେନୁ ଓ ଷ୍ଟାଇଲ ଅନୁଯାୟୀ ସେଗୁଡ଼ିକୁ ସ୍ବତନ୍ତ୍ରଭାବେ ଡିଜାଇନ ମଧ୍ୟ କରାଯାଇଛି ବୋଲି ରାଜୀବ କହିଛନ୍ତି। ଏହି ସୁନା-ପାଣିଦିଆ ଓ ରୁପା ବାସନ ଭାରତର ସମୃଦ୍ଧ ଐତିହ୍ୟର ପ୍ରତୀକ ବୋଲି ସେ କହିଛନ୍ତି।

Comments are closed.