ଆଜି ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍

ନୂଆଦିଲ୍ଲୀ: ୨୦୨୩ ପାଇଁ ଜି-୨୦ର ଅଧ୍ୟକ୍ଷ ଭାରତ ନୂଆଦିଲ୍ଲୀରେ ଏହାର ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସମସ୍ତଙ୍କ ଭିତରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ବିଶ୍ୱ ନେତାମାନେ ମଧ୍ୟ ଆସିବା ଆରମ୍ଭ କରିଛନ୍ତି। ଜି୨୦ ସମ୍ମିଳନୀ ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ହୋଇଥିବା ବେଳେ ଦିଲ୍ଲୀ ପୁଲିସ ଚାରିଦିନ ପାଇଁ ପ୍ରସ୍ତୁତ ହେଉଛି। ବିଦେଶୀ ଅତିଥିମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ କେତେକ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ଏବଂ ଏହା ଆଜି ରାତିରୁ ଆରମ୍ଭ ହୋଇଯାଇଛି। ଭାରୀ, ମଧ୍ୟମ ଏବଂ ହାଲୁକା ମାଲ ପରିବହନକାରୀ ଯାନଗୁଡିକୁ ଆଜି ରାତି ୯ଟାରୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ଦିଲ୍ଲୀରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ସମାନ ପ୍ରତିବନ୍ଧକ ଶନିବାର ସକାଳ ୫ଟାରୁ ଟ୍ୟାକ୍ସି ଏବଂ ଅଟୋ ଉପରେ ମଧ୍ୟ ଲାଗୁ ହେବ।

ଦିଲ୍ଲୀ ସରକାରଙ୍କ ଏକ ଗେଜେଟ୍ ବିଜ୍ଞପ୍ତିରେ କୁହାଯାଇଛି, ଆସନ୍ତାକାଲି ସକାଳୁ ରବିବାର ପର୍ଯ୍ୟନ୍ତ ନୂଆଦିଲ୍ଲୀ ଜିଲ୍ଲାର ସମସ୍ତ ଅଞ୍ଚଳ ଏକ ନିୟନ୍ତ୍ରିତ ଜୋନ୍ ଭାବରେ ପରିଗଣିତ ହେବ। କେବଳ ପ୍ରକୃତ ବାସିନ୍ଦା, ପ୍ରାଧିକୃତ ଯାନ ଏବଂ ଗୁରୁତ୍ୱପୂର୍ଣ୍ଣ ସେବାରେ ଜଡିତ ଯାନଗୁଡିକୁ ଇଣ୍ଡିଆ ଗେଟ୍, ସି-ହେକ୍ସାଗନ୍ ଓ ଅନ୍ୟାନ୍ୟ ସ୍ଥାନକୁ ଯିବାକୁ ଅନୁମତି ଦିଆଯିବ। ଆସନ୍ତାକାଲିଠାରୁ ରବିବାର ପର୍ଯ୍ୟନ୍ତ ସମସ୍ତ କ୍ଲାଉଡ୍ କିଚେନ, ବାଣିଜ୍ୟିକ ପ୍ରତିଷ୍ଠାନ, ବଜାର, ଖାଦ୍ୟ ଡେଲିଭରି ଏବଂ ବ୍ୟବସାୟିକ ଡେଲିଭରି ସେବା ବନ୍ଦ ରହିବ। ନିୟନ୍ତ୍ରିତ ଜୋନରେ ସ୍ବିଗି, ଜୋମାଟୋ, ଆମାଜନ ଏବଂ ଫ୍ଲିପକାର୍ଟ ପରି ସଂସ୍ଥାର ଡେଲିଭରି ସେବାକୁ ଅନୁମତି ଦିଆଯିବ ନାହିଁ। କିନ୍ତୁ ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ପରିବହନ ପାଇଁ ଅନୁମତି ମିଳିବ।

 

Comments are closed.