ବନ୍ଧା ହେଲେ ଇଡି ଅଧିକାରୀ

ଲାଞ୍ଚ କାରବାର କରୁଥିବା ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଥିବା ଇଡି ଅଧିକାରୀ ଫସିଗଲେ ଜାଲରେ। ଲାଞ୍ଚୁଆ ଅଧିକାରୀଙ୍କୁ ଛାଡ଼ିବା ପାଇଁ ନିଜେ ଲାଞ୍ଚ ନେବା ବେଳେ ବନ୍ଧାହେଲେ। ଏପରି ଏକ ଘଟଣା ତାମିଲନାଡ଼ୁର ମଦୁରାଇରେ ଘଟିଛି। ଗିରଫ ଅଧିକାରୀଜଣକ ମଦୁରାଇରେ କାର୍ଯ୍ୟରତ ଇଡି ଅଧିକାରୀ ଅଙ୍କିତ ତିୱାରି ବୋଲି ଜଣାଯାଇଛି। ଜଣେ ଦୁର୍ନୀତିଖୋର ଡାକ୍ତରଙ୍କଠାରୁ ୨୦ ଲକ୍ଷ ଟଙ୍କା ଲୋନ୍‌ ଦେବା ଅଭିଯୋଗରେ ତାଙ୍କୁ ବାନ୍ଧିଛି DVAC।

ଡିଣ୍ଡିଗୁଲ୍‌ ଜିଲ୍ଲାର ଜଣେ ସରକାରୀ ଡାକ୍ତରଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲା ଥିବା ବେଳେ ଗତ ୨୯ ତାରିଖରେ ଅଙ୍କିତ ତାଙ୍କୁ ଯୋଗାଯୋଗ କରିଥିଲେ। ଏହି ମାମଲାର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଥିବା କହିଥିଲେ। ଏହି ଘଟଣାରେ ଆଲୋଚନା ପାଇଁ ଗତ ୩୦ ତାରିଖରେ ସେ ସମ୍ପୃକ୍ତ ଅଧିକାରୀଙ୍କୁ ଇଡି କାର୍ଯ୍ୟାଳୟକୁ ଡାକିଥିଲେ।

ମାମଲା ରଫାଦଫା କରିବାକୁ ଅଙ୍କିତ ତାଙ୍କୁ ୩ କୋଟି ଟଙ୍କା ମାଗିଥିଲେ। ଏତେ ଟଙ୍କା ଦେବାକୁ ସମ୍ପୃକ୍ତ ଅଧିକାରୀ ଅମଙ୍ଗ ହୋଇଥିଲେ। ଏହାପରେ ନିଜ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଏହି ପରିମାଣ ୩ କୋଟିରୁ ୫୧ ଲକ୍ଷକୁ ଖସାଇଥିବା କହିଥିଲେ।

ନଭେମ୍ବର ୧ ତାରିଖରେ ସମ୍ପୃକ୍ତ ଅଧିକାରୀ ଅଙ୍କିତଙ୍କୁ ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ। ଉପରିସ୍ଥ ଅଧିକାରୀଙ୍କ ଭାଗ ଥିବାରୁ ସମସ୍ତ ଟଙ୍କା ତୁରନ୍ତ ଦେବାକୁ ତାଗିଦ କରି ଘଟଣାସ୍ଥଳରୁ ନିଜ କାର୍‌ ଯୋଗେ ଚାଲି ଯାଇଥିଲେ ଅଙ୍କିତ । ଟଙ୍କା ଦେଇ ନ ପାରିଲେ ପରିଣାମ ଭୟଙ୍କର ହେବ ବୋଲି ବି କହିଥିଲେ।

Comments are closed.