ବୟଫ୍ରେଣ୍ଡ ବ୍ଲାକମେଲ ପାଇଁ ଶ୍ୱେତାଙ୍କ ଆତ୍ମହତ୍ୟା!

ଭୁବନେଶ୍ୱର : ଭୁବନେଶ୍ୱରରେ ସଫ୍ଟଓୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି। ବୟଫ୍ରେଣ୍ଡଙ୍କ ବ୍ଲାକମେଲ କାରଣରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଏହି ଅଭିଯୋଗ କରିଛନ୍ତି। ଝିଅକୁ ଶାରିରୀକ, ମାନସିକ ଓ ଆର୍ଥିକ ନିର୍ଯାତନା ଦେଉଥିଲା ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍। ଶ୍ୱେତାଙ୍କ ବାପା ଓ ଭାଇ ଏହି ଅଭିଯୋଗ କରିଛନ୍ତି।

ଶ୍ୱେତାଙ୍କ ବାପା କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଝିଅ ଯେଉଁ ସଫ୍ଟଓୟାର କମ୍ପାନୀରେ କାମ କରୁଥିଲେ, ସମ୍ପୃକ୍ତ ଯୁବକ ମଧ୍ୟ ଏକଦା ଉକ୍ତ କମ୍ପାନୀରେ କାମ କରୁଥିଲେ। ପରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉକ୍ତ ଯୁବକ ଚାକିରି ଛାଡ଼ି ଏମ୍‌ବିଏ କରୁଛନ୍ତି। ଝିଅ ସହ ବିଶ୍ୱାସ ଘାତକତା କରି ଉକ୍ତ ଯୁବକ ବ୍ଲାକମେଲ କରୁଥିବା ଜଣାପଡ଼ିବା ପରେ ସେମାନେ ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ସମ୍ବଲପୁର ସ୍ଥିତ ସମ୍ପୃକ୍ତ ଯୁବକଙ୍କ ଘରକୁ ଯାଇ ବିବାହ ପ୍ରସ୍ତାବ ରଖିଥିଲେ। ହେଲେ ଯୁବକଙ୍କ ପରିବାର ଲୋକେ ୩୦ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ। ଚାକିରିରୁ ଅବସର ନେଇସାରିଥିବାରୁ ଏତେ ଟଙ୍କା ଦେବାକୁ ସେ ଅସମର୍ଥତା ପ୍ରକାଶ କରିଥିଲେ। ହେଲେ ଟଙ୍କା ନ ଦେଲେ ବାହାଘର ହୋଇପାରିବ ନାହିଁ ବୋଲି ଯୁବକର ପରିବାର ଲୋକେ କହିଥିଲେ। ତେଣେ ଯେତେ ବୁଝାଇଥିଲେ ବି ଝିଅ ବୁଝି ନ ଥିଲା। ତେଣୁ ସେ ମାନସୀକ ଚିନ୍ତାରେ ଥିଲା।

ଶ୍ୱେତାଙ୍କ ଭାଇ କହିଛନ୍ତି, ସମ୍ପୃକ୍ତ ଯୁବକ ପ୍ରଥମେ ୬ମାସ ଶ୍ୱେତାଙ୍କୁ ଏକତରଫା ପ୍ରେମ କରିଥିଲେ। ପ୍ରେମ ନ କଲେ ହାତ କାଟିଦେବେ ବୋଲି ଧମକ ଦେଉଥିଲେ। ଉଭୟଙ୍କ ପ୍ରେମ ବିଷୟରେ ଦେଢ଼ ବର୍ଷ ପରେ ପରିବାର ଲୋକଙ୍କୁ ଜଣାପଡ଼ିଥିଲା। ତେବେ ସେତେବେଳକୁ ଶ୍ୱେତାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ କିମ୍ବା ଭିଡିଓ ରଖି ଯୁବକ ଜଣକ ଭାଇରାଲ କରିବାକୁ ଧମକ ଦେଉଥିଲା। ଉଭୟଙ୍କୁ ବାହା କରାଇ ଦେବାକୁ ସେମାନେ ଚେଷ୍ଟା କରିଥିଲେ।

Comments are closed.