ଘରେ ଶୋଇଥିଲେ ଦମ୍ପତି, ପେଟ୍ରୋଲ ଢାଳି ନିଆଁ ଲଗେଇଦେଲେ ଦୁର୍ବୁତ୍ତ
କେନ୍ଦୁଝର : କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋଗୋଠ ଗ୍ରାମରେ ଘରେ ଶୋଇଥିବା ବେଳେ ବାହାରୁ ତାଲା ପକାଇ ପେଟ୍ରୋଲ ଢାଳି ନିଆଁ ଜଳାଇ ହତ୍ୟା ଉଦ୍ୟମ ଭଳି ଅମାନବୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଶୋଇଥିବା ଅବସ୍ଥାରେ ବାହାର ପଟୁ ତାଲା ପକାଇ ପେଟ୍ରୋଲ ଢାଳି ଜୀଅନ୍ତା ଜାଳି ଦେବାକୁ ହୋଇଥିଲା ଉଦ୍ୟମ। ଫଳରେ ସ୍ତ୍ରୀ-ସ୍ବାମୀ ଗୁରୁତର ହୋଇ ପ୍ରଥମେ କେନ୍ଦୁଝର ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ହୋଇଛନ୍ତି। ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଜଳି ଯାଇଛି।
ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅର୍ନ୍ତଗତ ଜାମୁଯୋଡ଼ି ପଞ୍ଚାୟତ ଧାଗୋଠ ଗ୍ରାମର ପଧାନ ସାହିରେ। ସୂଚନା ଅନୁଯାୟୀ, ଗ୍ରାମର ଉଗ୍ରସେନ ପଲେଇ ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ଶୋଇଥିବା ବେଳେ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବାହାର ପଟୁ ତାଲା ପକାଇ ନିଆଁ ଲଗାଇ ଦେଇଥିଲେ। ସ୍ତ୍ରୀ ଆଉ ସ୍ବାମୀ ଜଳନ୍ତା ଅବସ୍ଥାରେ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବାହାରି ପାରି ନ ଥିଲେ । ଜୀବନ ବିକଳରେ ବଞ୍ଚିବାକୁ ଚିତ୍କାର କରିବାରୁ ଗାଁ ଲୋକ ଶୁଣି କବାଟ ଭାଙ୍ଗି ଉଦ୍ଧାର କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏବେ କଟକ ବଡ଼ ମେଡିକାଲ ପଠାଯାଇଛି। ଉଭୟଙ୍କ ଜୀବନ ସଙ୍କଟାପନ୍ନ ରହିଛି। ହରିଚନ୍ଦନପୁର ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତନାଘନା ଚଳାଇଛି।
Comments are closed.