ପୁଣି କର୍ମଚାରୀଙ୍କୁ ଛୁଟେଇ କରିବା ଏହି କମ୍ପାନୀ

ନୂଆଦିଲ୍ଲୀ : ବିଶ୍ବର ବଡ଼ ବଡ଼ ଟେକନଲୋଜୀ କମ୍ପାନିଗୁଡ଼ିକରେ ଛଟେଇ ଜାରି ରହିଛି । ଫିଲିପ୍ସ କମ୍ପାନିର ସ୍ବାସ୍ଥ୍ୟ ଉପକରଣ ନିର୍ମାଣକାରୀ ଶାଖା ପକ୍ଷରୁ ୬ ହଜାର କର୍ମଚାରୀଙ୍କୁ ଛଟେଇ କରିବା ସଂପର୍କରେ ଘୋଷଣା କରାଯାଇଛି । ତିନିମାସ ପୂର୍ବରୁ କମ୍ପାନି ୪ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବା ସଂପର୍କରେ ଘୋଷଣା କରିଥିବାବେଳେ ଏହି ଅତିରିକ୍ତ ୬ ହଜାରଙ୍କୁ ଛଟେଇ କରାଯିବ । ଏହି ୬ ହଜାରଙ୍କ ମଧ୍ୟରୁ ଅର୍ଦ୍ଧେକଙ୍କୁ ଚଳିତ ବର୍ଷ ଓ ଆର ଅର୍ଦ୍ଧେକଙ୍କୁ ଆସନ୍ତା ୨୦୨୫ ସୁଦ୍ଧା ଛଟେଇ କରାଯିବ ।

ଫିଲିପ୍ସ କମ୍ପାନିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ରଏ ଜାକବ୍ସ ଏସବୁ ଛଟେଇ ସଂପର୍କରେ ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ୨୦୨୫ ସୁଦ୍ଧା କମ୍ପାନିର କର୍ମଚାରୀ ସଂଖ୍ୟାରେ ୧୩ ପ୍ରତିଶତ ହ୍ରାସ କରାଯିବ । କମ୍ କର୍ମଚାରୀ ସଂଖ୍ୟା ସହ ନିଜର ଉତ୍ପାଦକତା ବଢାଇବାକୁ କମ୍ପାନି ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି ।

ଏସବୁ ଛଟେଇ ଫିଲିପ୍ସର ହସପିଟାଲ ଉପକରଣ କମ୍ପାନିରେ କରାଯିବ । ଫିଲିପ୍ସର ଅନ୍ୟ ବ୍ୟବସାୟ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ ।

ନିକଟରେ କମ୍ପାନି ଦ୍ବାରା ନିର୍ମିତ କେତେକ ମେଡିକାଲ ଉପକରଣରେ ତ୍ରୁଟି ଯୋଗୁଁ ସେଗୁଡ଼ିକୁ ଫେରାଇନେବାକୁ ପଡ଼ିଥିଲା । ଏହା ଦ୍ବାରା କମ୍ପାନି କ୍ଷତି ସହିଛି ।

Comments are closed.