ହକିରେ ହାରିବା ପରେ ଏମିତି ନିଷ୍ପତ୍ତି ନେଲେ ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ

ନୂଆଦିଲ୍ଲୀ: ଭୁବନେଶ୍ବରରେ ଖେଳାଯାଇଥିବା ପୁରୁଷ ହକି ବିଶ୍ବକପରେ ଭାରତୀୟ ଟିମ ହାରିବା ପରେ ଇସ୍ତଫା ଦେଲେ ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ। ପୁରୁଷ ହକି ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବିଶେଷ ଭଲ ନଥିଲା ଏବଂ ଏହି କାରଣରୁ ଭାରତ କ୍ୱାର୍ଟର ଫାଇନାଲରେ ମଧ୍ୟ ପହଞ୍ଚି ପାରି ନଥିଲା। ଏବେ ଖରାପ ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍ ଇସ୍ତଫା ଦେଇଛନ୍ତି। ୫୮ବର୍ଷିୟ ରିଡ ଭୁବନେଶ୍ୱରରେ ବିଶ୍ୱକପ ସମାପ୍ତ ହେବାର ଗୋଟିଏ ଦିନ ପରେ ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ ତିର୍କିଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି।

ଇସ୍ତଫା ପରେ ଗ୍ରାହାମ୍ ରିଡ୍ କହିଛନ୍ତି, ‘ବର୍ତ୍ତମାନ ମୋର ଇସ୍ତଫା ଦେବାର ସମୟ ଆସିଛି। ଭାରତୀୟ ଦଳ ଏବଂ ହକି ଇଣ୍ଡିଆ ସହିତ କାମ କରିବା ଏକ ଗୌରବର ଓ ସୌଭାଗ୍ୟର କଥା। ମୁଁ ଏହି ଚମତ୍କାର ଯାତ୍ରାର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଛି। ମୁଁ ଦଳକୁ ଶୁଭେଚ୍ଛା ଜଣାଉଛି।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ଅଷ୍ଟ୍ରେଲୀୟ ଡିଫେଣ୍ଡର୍‌ ଗ୍ରାହାମ୍ ରିଡ୍‌ଙ୍କୁ ହକି ଇଣ୍ଡିଆ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିଥିଲା। ଅଷ୍ଟ୍ରେଲିଆ ପାଇଁ ୧୩୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ରିଡ୍‌ ୧୯୯୨ ମସିହାର ବାର୍ସିଲୋନା ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ଦଳର ସଦସ୍ୟ ଥିଲେ। ସେହିଭଳି ୧୯୮୪, ୧୯୮୫ ଏବଂ ୧୯୮୯, ୧୯୯୦ ମସିହାରେ ଦୁଇ ଥର କ୍ରମାଗତ ଭାବେ ଚାମ୍ପିଅନ୍ସ ଟ୍ରଫି ବିଜେତା ରହିଥିଲେ। ୨୦୦୯ ମସିହାରେ ଅଷ୍ଟ୍ରେଲିଆ ଦଳର ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତ ହେବାଠାରୁ ତାଙ୍କ ପ୍ରଶିକ୍ଷଣ ଜୀବନ ଆରମ୍ଭ ହୋଇଥିଲା। ଏହା ପରେ ସେ ମୁଖ୍ୟ ପ୍ରଶିକ୍ଷକ ପଦକୁ ଉନ୍ନୀତ ହୋଇଥିବା ବେଳେ ୨୦୧୨ ମସିହାରେ ଅଷ୍ଟ୍ରେଲିଆକୁ କ୍ରମାଗତ ପଞ୍ଚମ ଚାମ୍ପିଅନ୍ସ ଟ୍ରଫି ବିଜୟୀ କରାଇଥିଲେ। ୨୦୧୪ ମସିହାରେ ସେ ମୁଖ୍ୟ ପ୍ରଶିକ୍ଷକ ଥିବାବେଳେ ଅଷ୍ଟ୍ରେଲିଆ ବିଶ୍ବର ଏକ ନମ୍ବର ଦଳ ହୋଇଥିଲା। ସେହି ବର୍ଷ ଅନ୍ତ୍ବର୍ପ ବିଶ୍ବ ହକି ଲିଗ୍ ସେମିଫାଇନାଲ୍‌ରେ ବିଜେତା ଏବଂ ରାଇପୁରରେ ଫାଇନାଲ୍‌ ପର୍ଯ୍ୟାୟରେ ବିଜେତା ହୋଇଥିଲା ଦଳ। କୁଇନ୍ସଲାଣ୍ଡ୍ ହକି ହଲ୍‌ ଅଫ୍‌ ଫେମ୍‌ର ସଦସ୍ୟ ରିଡ୍ ୨୦୧୭ ମସିହାରେ ନେଦରଲାଣ୍ଡ୍‌ ଆମଷ୍ଟରଡାମ୍ କ୍ଲବ୍‌ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ୧୯୯୩ ଏବଂ ୧୯୯୪ରେ ସେ ଏହି କ୍ଲବ୍‌ ପାଇଁ ଖେଳିଥିଲେ। ତାଙ୍କ ନେତୃତ୍ବରେ ସଦ୍ୟତମ ବଡ଼ ସଫଳତା ଭାବେ ୨୦୧୮ ଭୁବନେଶ୍ବର ପୁରୁଷ ହକି ବିଶ୍ବକପ୍‌ରେ‌ ନେଦରଲାଣ୍ଡ୍‌ ଦଳ ରୌପ୍ୟ ପଦକ ଜିତିଥିଲା।

Comments are closed.