ସାମ୍ନାକୁ ଆସିଲେ ଚୀନ ରାଷ୍ଟ୍ରପତି

ବେଜିଂ :ଗୁଜବ ପରେ ସାମ୍ନାକୁ ଆସିଲେ ଚୀନ ରାଷ୍ଟ୍ରପତି।ତେବେ ସେ ଥିଲେ କେଉଁଠି ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ଗୃହବନ୍ଦୀ ଗୁଜବର ଅନ୍ତଘଟାଇ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ମଙ୍ଗଳବାରଦିନ ସର୍ବସାଧାରଣରେ ଆତ୍ମପ୍ରକାଶ କରିଥିଲେ । ଚଳିତ ମାସ ୧୭ ତାରିଖରେ ଉଜବେକିସ୍ତାନର ରାଜଧାନୀ ସମରକନ୍ଦରୁ ଫେରିବା ପରେ ସେ ପ୍ରଥମ ଥର ପାଇଁ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠେ, ଏହି ୧୦ ଦିନ ସେ କେଉଁଠି ଥିଲେ ? ଏହାର ଉତ୍ତର ହେଉଛି, ସେ ଚୀନ ସରକାର ଲାଗୁ କରିଥିବା କରୋନା କଟକଣାକୁ ପାଳନ କରି ୧୦ ଦିନ କ୍ବାରାଣ୍ଟାଇନ ଥିଲେ । ଏହି ୧୦ ଦିନରେ ସେ କୌଣସି ସାଧାରଣ ଲୋକଙ୍କ ସହ ବିଶେଷ ମିଳିମିଶା କରୁନଥିଲେ ।

ଚୀନର କଠୋର କରୋନା କଟକଣା ( ଜିରୋ କୋଭିଡ୍ ପଲିସୀ ) ଅନୁସାରେ ଜଣେ ବ୍ୟକ୍ତି ବିଦେଶରୁ ଫେରିଥିଲେ ସେ ୧୦ ଦିନ ଏକାନ୍ତବାସ ବା କ୍ବାରାଣ୍ଟାଇନରେ ରହିବେ । ଏହି ସମୟସୀମା ମଧ୍ୟରେ ସେ କୌଣସି ସାଧାରଣ ଲୋକଙ୍କୁ ଭେଟିପାରିବେ ନାହିଁ ଅଥବା ସର୍ବସାଧାରଣ ସ୍ଥାନକୁ ଯାଇପାରିବେ ନାହିଁ । ଦେଶର ସର୍ବୋଚ୍ଚ ବ୍ୟକ୍ତି ହିସାବରେ ଜିନପିଙ୍ଗ ଏହି ନିୟମକୁ ପାଳନ କରି ଲୋକଙ୍କ ଆଗରେ ଏକ ଉଦାହରଣ ରଖିବାକୁ ଚାହୁଁଛନ୍ତି ।

Comments are closed.