ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଏଣିକି ସ୍ଥାନୀୟ ଯୁବକ ହେବେ ସାବଲମ୍ବି

ଭୁବନେଶ୍ୱର: ରାଜାର ବିକାଶ ପାଇଁ ସରକାର ସବୁବେଳେ ତତ୍ପର ପ୍ରକାଶ କରନ୍ତି । ରାଜ୍ୟରେ ଶିଳ୍ପବିକାଶ ଏବଂ ନିଯୁକ୍ତି ସହ ଜଡିତ ବିଭିନ୍ନ ଜନ ଅଭିଯୋଗ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ସରକାର ନିଯୁକ୍ତିଭିତ୍ତିକ ଶିଳ୍ପକୁ ଉତ୍ସାହିତ କରିବା ପାଇଁ ଶିଳ୍ପଲାଗି ଅବ୍ୟବହୃତ ଜମିକୁ ପୁନର୍ବିକାଶ କରିବା ପାଇଁ ଯୋଜନା କରୁଛନ୍ତି । ବିଶେଷକରି ଓରିଏଣ୍ଟ କାଗଜକଳ ଓ ଓଟିଏମ୍‍ ଜମିକୁ ଏଥିପାଇଁ ବ୍ୟବହାର କରାଯିବ । ଚୌଦ୍ୱାରରେ ଥିବା ଓଟିଏମ୍‍ ଜମିରେ ବୟନଶିଳ୍ପ ଏବଂ ଲୋକୋମୋଟିଭ୍‍ ଶିଳ୍ପ ପ୍ରତିଷ୍ଠା କରାଯିବ । ସେହିପରି ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍‍ ପାର୍କ, ବରେଇପାଲି ଏବଂ ହିଞ୍ଜିଳି ଏମ୍‍ଏସ୍‍ଏମ୍‍ଇ ପାର୍କ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଶିଳ୍ପ ପ୍ରୋତ୍ସାହନ କ୍ଷେତ୍ରରେ ସ୍ଥାନୀୟ ଯୁବକମାନଙ୍କ ଦକ୍ଷତାକୁ ଆଧାର କରି ନିଯୁକ୍ତି ପ୍ରଦାନ କରାଯିବ ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକରେ ଉତ୍ପାଦନ ଆଧାରିତ ନିଯୁକ୍ତି ପାଇଁ ନବୀକରଣ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରାଯାଇଛି । ପ୍ରକଳ୍ପ ପାଇଁ ଖାଲି ଜମିକୁ ବ୍ୟବହାର କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଇଡ୍‍କୋକୁ ଏକମାସ ମଧ୍ୟରେ ଏହିସବୁ ଜମିଜମାର ସ୍ଥିତି ଏବଂ ସମ୍ଭାବ୍ୟ ଶିଳ୍ପ ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି । ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍‍ ପାର୍କରେ ତିନୋଟି ବଡ଼ ବଡ଼ କମ୍ପାନୀ ଜମି ଅଧିଗ୍ରହଣ କରିଥିବାବେଳେ ସେମାନଙ୍କର ପ୍ରକଳ୍ପ ତୁରନ୍ତ ଆରମ୍ଭ କରିବା ପାଇଁ ପରାମର୍ଶ ଦେବାକୁ ଗଞ୍ଜାମ ପ୍ରଶାସନ ଓ ଇଡ୍‍କୋକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଚୌଦ୍ୱାରରେ ଥିବା ଓଟିଏମ୍‍ର ୫୨୧ ଏକର ଜମିରେ ବୟନଶିଳ୍ପ ପାର୍କ ଓ ଲୋକୋମୋଟିଭ୍‍ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ ପାଇଥିବା ବୈଠକରୁ ଜଣାପଡିଛି । ଅନ୍ୟପକ୍ଷରେ ଏଣିକି ଆପିକଲ୍‍ ଶିଳ୍ପ କ୍ଷେତ୍ରରେ ନିବେଶକମାନଙ୍କୁ ଇଣ୍ଡଷ୍ଟ୍ରିଆଲ୍‍ ପ୍ଲଟ୍‍ ପ୍ରଦାନ କରିବେ ବୋଲି ବୈଠକରେ ସ୍ଥିର କରାଯାଇଛି । ସ୍ଥାନୀୟ ଯୁବକମାନଙ୍କୁ ସର୍ବାଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଭଳି ଇଣ୍ଡଷ୍ଟ୍ରିଆଲ୍‍ ପାର୍କ ପର୍ଯ୍ୟାୟକ୍ରମେ ବିକଶିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ଶିଳ୍ପ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା କୁଶଳୀ ମାନବ ସମ୍ବଳ ଯୋଗାଇ ଦେବା ପାଇଁ ଆଇଟିଆଇ ଓ ପଲି-ଟେକ୍‍ନିକ୍‍ଗୁଡ଼ିକୁ ଶିଳ୍ପ ସଂସ୍ଥା ସହ ଯୋଡ଼ିବାକୁ ଫାଇଭ୍‍-ଟି ସଚିବ ପରାମର୍ଶ ଦେଇଛନ୍ତି ।

Comments are closed.