କରୋନକୁ ନେଇ ରାଜ୍ୟମାନଙ୍କୁ ସତର୍କ କରାଇଲେ କେନ୍ଦ୍ର

ନୂଆଦିଲ୍ଲୀ :ଦେଶରେ କ୍ରମାଗତ ଭାବେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ସଂକ୍ରମଣ ୬ ହଜାର ଡେଇଁବା ପରେ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟରେ ଚିନ୍ତା ପ୍ରକଟ ପାଇଛି। ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଏହି ବୈଠକ ପରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଦେଶରେ କରୋନା ସଂକ୍ରମଣ ଦିନକ ତଳେ ୬ ହଜାର ଡେଇଁଥିଲା। ଏହା ୨୦୦ ଦିନ ମଧ୍ୟରେ ସର୍ବାଧିକ। ତେଣୁ କେନ୍ଦ୍ର ସରକାର କରୋନା ହଟସ୍ପଟ ଚିହ୍ନଟ ସହ ଟେଷ୍ଟିଂ ବୃଦ୍ଧି ଓ ଇନଫ୍ଲୁଏଞ୍ଜା ଭଳି ରୋଗର ତତ୍କାଳୀନ ଚିହ୍ନଟ ପାଇଁ ରାଜ୍ୟ ଗୁଡ଼ିକୁ କହିଛନ୍ତି। ୧୦ ଦିନ ହେଲାଣି କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସଂକ୍ରମଣ ସଂଖ୍ୟା ୭ ଦିନରୁ କମ ସମୟରେ ଦୁଇ ଗୁଣ ହେଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସ୍ଥିତିର ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

ବର୍ତ୍ତମାନେ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ଯ୍ୟ ସୀମା ଠାରୁ ବହୁତ କମ ମାତ୍ରାରେ କରୋନା ଟେଷ୍ଟିଂ ହେଉଉଛି। ତେଣୁ ପ୍ରତି ୧୦ ଲକ୍ଷ ଲୋକରେ ୧୦୦ ଟେଷ୍ଟିଂ କରିବାକୁ କୁହାଯାଇଛି। ବିଶେଷ କରି ଆରଟି-ପିସିଆର ସଂଖ୍ୟା ବୃଦ୍ଧି କରିବାକୁ ମାଣ୍ଡଭୀୟ କହିଛନ୍ତି।

୨୪ ଘଣ୍ଟା ମଧ୍ୟରେ ୧୩ ଜଣଙ୍କ ମୁଣ୍ଡ ନେଇଥିଲା କରୋନା। ଏହାକୁ ମିଶାଇ ୭ ଦିନରେ ୫୯ ଜଣଙ୍କ ଜୀବନ ଗଲାଣି। ଗତ ସପ୍ତାହରେ ଏହା ୩୮ ରହିଥିଲା। ସଂକ୍ରମଣ ବଢ଼ୁଥିଲେ ମଧ୍ୟ ସେହି ମାତ୍ରାରେ ମୃତ୍ୟୁସଂଖ୍ୟା ଯଥେଷ୍ଟ କମ ରହିଛି। ତେବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦ ହଜାର ପାର କରିଯିବାର ଆଶଙ୍କା ରହିଛି। ଗତ ସପ୍ତାହରେ ୧୬,୩୦୦ ସକ୍ରିୟ ରୋଗୀ ଥିଲେ। ତେଣୁ ୭ ଦିନ ମଧ୍ୟରେ ଏହାର ସଂଖ୍ୟା ପ୍ରାୟ ୨ ଗୁଣ ବୃଦ୍ଧି ପାଇଛି।

Comments are closed.