ପୁଣି ଫେରାଇଦେଲେ ବିଲ୍ ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ: ବିଧାନସଭାରେ ଗୃହୀତ ବିଲ୍‌ଗୁଡ଼ିକୁ ରାଜ୍ୟପାଳ ମାନେ ଦୀର୍ଘଦିନ ଧରି ପକେଇ ରଖୁଥିବାରୁ ସୁପ୍ରିମକୋର୍ଟ ପଞ୍ଜାବ ଓ ତାମିଲନାଡ଼ୁ ରାଜ୍ୟପାଳଙ୍କ ଉପରେ ନିକଟରେ ଭୀଷଣ ବିରକ୍ତ ହୋଇଥିଲେ। ‌ଏହି ଘଟଣା ଲୋକଙ୍କ ମନରୁ ନଯାଉଣୁ ତାମିଲନାଡ଼ୁ ରାଜ୍ୟପାଳ ଆର୍‌ଏନ୍‌ ରବି ଆଜି ପଡ଼ି ରହିଥିବା ୧୦ଟି ବିଲ୍‌ ଫେରାଇ ଦେଇଛନ୍ତି। ଉକ୍ତ ୧୦ଟି ବିଲ୍‌ ମଧ୍ୟରୁ ପୂର୍ବର ଏଆଇଡିଏମ୍‌କେ ସରକାର ଦ୍ବାରା ଗୃହୀତ ହୋଇଥିବା ୨ଟି ବିଲ୍‌ ରହିଛି। ରାଜ୍ୟ ଆଇନ ବିଭାଗ ସୂତ୍ରରୁ ଏହା ଜଣାପଡ଼ିଛି। ତେବେ ଏସବୁ ବିଲ୍‌ ରାଜ୍ୟପାଳ ଫେରାଇ ଦେବାର କିଛି ସମୟ ପରେ ବାଚସ୍ପତି ଏମ୍‌ ଆପ୍ପାଭୁ ଆସନ୍ତା ଶନିବାର ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି ।

ଏସବୁ ବିଲ୍‌କୁ ଡିଏମ୍‌କେ ସରକାର ପୁନର୍ବାର ରାଜ୍ୟପାଳଙ୍କ ନିକଟକୁ ପଠାଇବ ବୋଲି ଅନୁମାନ କରାଯାଉଛି। ଏହା ହେଲେ ରାଜ୍ୟପାଳ ଏସବୁ ବିଲ୍‌ରେ ମୋହର ମାରିବାକୁ ବାଧ୍ୟ ହେବେ ଯାହାଫଳରେ ସେଗୁଡ଼ିକ ଆଇନରେ ପରିଣତ ହେବ। ବିଜେପି ଦ୍ବାରା ନିଯୁକ୍ତ ରାଜ୍ୟପାଳ ଜାଣିଶୁଣି ରାଜ୍ୟ ସରକାରଙ୍କ ବିଲ୍‌ରେ ମୋହର ମାରିବାରେ ବିଳମ୍ବ କରୁଛନ୍ତି ବୋଲି ତାମିଲନାଡ଼ୁ ସରକାର ପୂର୍ବରୁ ଅଭିଯୋଗ କରି ଆସୁଛି। ମଞ୍ଜୁରି ପାଇଁ ପଠାଯାଇଥିବା ବିଲ୍‌କୁ ରାଜ୍ୟପାଳ ଜାଣିଶୁଣି ବିଳମ୍ବ କରି ଲୋକଙ୍କ ଇଚ୍ଛାକୁ ଅଣଦେଖା କରୁଛନ୍ତି ବୋଲି ଡିଏମକେ ସରକାର ଅଦାଲତରେ ଯୁକ୍ତି ବାଢ଼ିଥିଲା। ବିଲ୍‌ରେ ରାଜ୍ୟପାଳଙ୍କ ମୋହର ପାଇଁ ଏକ ନିର୍ଦ୍ଦି‌ଷ୍ଟ ସମୟସୀମା ଧାର୍ଯ୍ୟ କରିବାକୁ ଆବେଦନ କରାଯାଇଥିଲା। ଫେରି ଆସିଥିବା ବିଲ୍‌ଗୁଡ଼ିକ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବିଶ୍ବବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ନେଇ ରାଜ୍ୟପାଳଙ୍କ କ୍ଷମତା ସଂକ୍ରାନ୍ତ ବିଲ୍ ରହିଛି। ଏଥିସହିତ ଏଆଇଡିଏମ୍‌କେର ପୂର୍ବତନ ମନ୍ତ୍ରୀମାନଙ୍କ ବିରୋଧରେ ତଦନ୍ତ ଅନୁମତି ସାମିଲ ରହିଛି।

Comments are closed.