ବାଣ ଉପରୁ ଉଠିବନାହିଁ କଟକଣା , ସୁପ୍ରୀମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ବା‌ୟୁର ମାନକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି ଏବଂ ପ୍ରଦୂଷଣ ରୋକିବା ଦିଗରେ ଏହା ଏକ ଉତ୍ତମ ପଦକ୍ଷେପ ହୋଇଥିବାରୁ ଏ ବାବଦ ନିଷେଧାଦେଶ ପ୍ରତ୍ୟାହାର ହେବନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଦୀପାବଳି ଉତ୍ସବ ପାଳନ କରିବାର ଅନ୍ୟସବୁ ଉପାୟ ଅଛି। ତେଣୁ ବର୍ତ୍ତମାନ ସ୍ଥିତିରେ ବାଣ ଉପରୁ କଟକଣା ହଟାଇ ହେବନାହିଁ।

ଜଷ୍ଟିସ ଏମ୍‌ଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି, ଲୋକମାନଙ୍କୁ ସ୍ବଚ୍ଛ ବାୟୁ ନିଶ୍ବାସରେ ଗ୍ରହଣ କରିବାକୁ ଦିଅାଯାଉ। ବାଣ ପରିବର୍ତ୍ତେ ମିଠାରେ ପଇସା ଖର୍ଚ୍ଚ କରିବା ଅଧିକ ଶ୍ରେୟସ୍କର। ଦିଲ୍ଲୀରେ ସମ୍ପୂର୍ଣ୍ଣ ବାଣ ନିଷିଦ୍ଧ କରାଯିବାକୁ ଚ୍ୟାଲେଂଜ କରି ବିଜେପି ସାଂସଦ ମନୋଜ ତିୱାରୀ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ତେବେ କୋର୍ଟ ଏହି ଆବେଦନକୁ ଜରୁରୀ ଶୁଣାଣି ପାଇଁ ଗ୍ରହଣ କରିନାହାନ୍ତି। ଆବେଦନକାରୀଙ୍କ ଓକିଲ ଶଶାଙ୍କ ଶେଖର ଝା ଖଣ୍ଡପୀଠଙ୍କୁ କହିଥିଲେ ଯେ ନଡ଼ାପାଳ ଜଳିବା ଯୋଗୁଁ ବି ପ୍ରଦୂଷଣ ହେଉଛି। କିନ୍ତୁ ଖଣ୍ଡପୀଠ ମାମଲାର ଶୁଣାଣି ପରେ କରିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଜେପି ସାଂସଦ ମନୋଜ ତିୱାରୀ ପୂର୍ବରୁ ମଧ୍ୟ ବାଣ ଉପରେ ସମ୍ପୂର୍ଣ୍ଣ କଟକଣାକୁ ବିରୋଧ କରି ଗତ ଅକ୍ଟୋବର ୧୦ରେ ସୁପ୍ରିମକୋର୍ଟ ଯାଇଥିଲେ। ଅକ୍ଟୋବର ୧୦ ଶୁଣାଣିରେ ସୁପ୍ରିମକୋର୍ଟ କହିଥିଲେ ଯେ ସବୁଜ ବାଣ କ୍ଷେତ୍ରରେ ମଧ୍ୟ ଆମେ ତାହା ବ୍ୟବହାର ପାଇଁ ଅନୁମତି ଦେଇପାରିବୁ ନାହିଁ।

Comments are closed.