ଗୁଜୁରାଟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଗୁରୁବାର ଦିନ ଦଳ ଦ୍ବାରା ଆଉ ୧୨ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି, ଏପର୍ଯ୍ୟନ୍ତ ଆପ୍ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ୪୧ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରି ସାରିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ବିଜେପି ଏବଂ କଂଗ୍ରେସ ଦ୍ୱାରା ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ, ତେଣୁ ଆପ୍ ଏଥିରେ ଆଗୁଆ ରହିଛି।

ଗୁରୁବାର ଦିନ ପ୍ରକାଶିତ ତାଲିକାରେ ସମାଜର ପ୍ରତ୍ୟେକ ବିଭାଗକୁ ଧ୍ୟାନ ଦେଇଛି ଆମ୍ ଆଦମୀ ପାର୍ଟି। ଶିକ୍ଷକମାନଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ନିର୍ବାଚନ ଲଢ଼େଇରେ ସ୍ଥାନ ପାଇଛନ୍ତି। ପ୍ରାର୍ଥୀଙ୍କ ମଧ୍ୟରେ ହିମତନଗରରୁ ନିର୍ମଲ ସିଂ ପରମାର, ସାନନ୍ଦରୁ କୁଲଦୀପ ବଘେଲା, ବତବାରୁ ବିପିନ ପଟେଲଙ୍କୁ ଟିକେଟ୍ ଦିଆଯାଇଛି। ଏହି ତାଲିକାରେ କିଛି ଶିକ୍ଷକ, କିଛି ଶିଳ୍ପପତି ଏବଂ କିଛି ଆଦିବାସୀ ରହିଛନ୍ତି ।

ତେବେ ଯେଉଁ ଆସନ ପାଇଁ ଆପ୍ ଆଜି ପ୍ରାର୍ଥୀ ଘୋଷଣା କରିଛି ସେହି ଆସନରେ ବହୁମତ ସହ ୨୦୧୭ନିର୍ବାଚନରେ ​​ହାତେଇଥିଲା ବିଜେପି। ବିଜେପି ୧୨ଟି ଆସନ ମଧ୍ୟରୁ ୧୦ଟି ଏବଂ କଂଗ୍ରେସ ୨ଟି ଜିତିଥିଲା। କିନ୍ତୁ ଏଥର ଦିଲ୍ଲୀ ଓ ପଞ୍ଜାବ ହାତେଇବା ପରେ ଗୁଜରାଟ ହାତେଇବାରେ ସଫଳ ହେବ ବୋଲି ଆପ୍ ଆଶାବାଦୀ ଅଛି। ଗୁଜରାଟରେ କ୍ଷମତାକୁ ଆସିବା ପାଇଁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଭିନ୍ନ ଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ଦିଲ୍ଲୀ ଭଳି ସୁବିଧା ଦେବାକୁ ଗୁଜରାଟବାସୀଙ୍କୁ କଥା ଦେଇଛନ୍ତି କେଜ୍ରିୱାଲ।

Comments are closed.