ବନ୍ଧା ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କବିତା
ନୂଆଦିଲ୍ଲୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟ(CA) ବୁଚି ବାବୁ ବନ୍ଧା ହେଲେ । ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ବାନ୍ଧିଛି ସିବିଆଇ ।
ସାଉଥ ଗ୍ରୁପ୍ ନାମକ କମ୍ପାନୀ ଦ୍ୱାରା ଲବି କରାଯାଇ ତଥା ଲାଞ୍ଚ ଦିଆଯାଇ ଦିଲ୍ଲୀର ଅବକାରୀ ନୀତିକୁ ସଂଶୋଧନ କରାଯାଇଥିବା ଅଭିଯୋଗ ହୋଇଛି। କେ କବିତାଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟ ବୁଚି ବାବୁ ‘ସାଉଥ୍ ଗ୍ରୁପ୍’ର ପ୍ରତିନିଧିତ୍ୱ କରୁଥିଲେ ବୋଲି ସିବିଆଇ କହିଛି।
ଏନେଇ ତାଙ୍କୁ ସିବିଆଇ ଗୁଡ଼ାଇତୁଡ଼ାଇ ପଚାରିବାରୁ ସେ ସହଯୋଗ କରି ନ ଥିବା ଅଭିଯୋଗ ହୋଇଥିଲା। ତେଣୁ ଗତ ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି ।
ସିବିଆଇ ଅଭିଯୋଗ କରିଛି ଯେ ଦିଲ୍ଲୀ ଏକ୍ସାଇଜ୍ ପଲିସି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାରେ ବୁଚି ବାବୁଙ୍କ ଭୂମିକା ସନ୍ଦେହଘେରରେ ରହିଛି। ହାଇଦ୍ରାବାଦ ଭିତ୍ତିକ ହୋଲସେଲ ଏବଂ ଖୁଚୁରା ଲାଇସେନ୍ସଧାରୀଙ୍କୁ ଅହେତୁକ ଲାଭ ପହଞ୍ଚାଇବା ନିମନ୍ତେ ଏହି ପଲିସି କରାଯାଇଥିଲା।
ଏହା ପୂର୍ବରୁ ଡିସେମ୍ବର ୧୨ରେ ପୂର୍ବତନ ସାଂସଦ ତଥା ବର୍ତ୍ତମାନର ତେଲେଙ୍ଗାନା ବିଧାନସଭାର ସଦସ୍ୟ କେ କବିତାଙ୍କୁ ହାଇଦ୍ରାବାଦରେ ୭ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା ସିବିଆଇ। ଦିଲ୍ଲୀ ଅବକାରୀ ନୀତି ଲାଗୁ କରିବା ନିମନ୍ତେ ‘ସାଉଥ୍ ଗ୍ରୁପ୍’ର ଭୂମିକା ସନ୍ଦେହରେ ଥିବା ବେଳେ ଏଥିରେ କେ କବିତାଙ୍କ ସମ୍ପୃକ୍ତି ଥିବା କହିଥିଲା ସିବିଆଇ । ଏହି ପଲିସି ଦ୍ୱାରା ମଦ ଲାଇସେନ୍ସଧାରୀମାନଙ୍କୁ ଅଯଥା ସୁବିଧା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ।
Comments are closed.