ତେଲେଙ୍ଗାନା ବିଜେପି ମୁଖ୍ୟଙ୍କୁ ମିଳିଲା ଜାମିନ

ହାଇଦ୍ରାବାଦ୍‌: ‘ଏସ୍‌ଏସ୍‌ସି’ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗିରଫ ହୋଇଥିବା ତେଲେଙ୍ଗାନା ‘ବିଜେପି’ ସମ୍ପାଦକ ବଂଦୀ ସଞ୍ଜୟ କୁମାରଙ୍କୁ ଗୁରୁବାର ଦିନ ଜାମିନ ମିଳିଛି। ୨୦,୦୦୦ ଟଙ୍କା ମୁଚାଲିକା‌ ୱାରାଙ୍ଗଲ୍‌ର ମାଜିଷ୍ଟ୍ରେଟ୍‌ କୋର୍ଟ ତାଙ୍କ ଜାମିନ ଅନୁମୋଦନ କରିଛନ୍ତି। ଆଜି ସେ ମୁକୁଳି ପାରନ୍ତି।

ଜାମିନ ମଞ୍ଜୁରିରେ ଅଦାଲତ ରଖିଥିବା ସର୍ତ୍ତାବଳିରେ ଉଲ୍ଲେଖ ଅଛି ଯେ, ବଂଦୀ ସଞ୍ଜୟ କୁମାର ଦେଶ ଛାଡ଼ି ଯିବେନାହିଁ, ତଦନ୍ତରେ ସହଯୋଗ କରିବେ ଓ ସାକ୍ଷୀମାନଙ୍କୁ ଧମକ ଦେବେନାହିଁ।

ଉଲ୍ଲେଖଯୋଗ୍ୟ, କରିମ୍‌ନଗର ଲୋକସଭା ସାଂସଦ ବଂଦୀ ସଞ୍ଜୟ କୁମାରଙ୍କୁ ମଙ୍ଗଳବାର ମଧ୍ୟରାତ୍ର ପରେ ଦଳେ ପୁଲିସ କରିମ୍‌ନଗର ସହରରେ ଥିବା ତାଙ୍କ ବାସଭବନରୁ ଉଠାଇ ନେଇ ପ୍ରଥମେ ହାଜତରେ ଅଟକ ରଖିଥିଲେ।

ପରେ ତାଙ୍କୁ ସେକେଣ୍ଡାରି ସ୍କୁଲ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ମୁଖ୍ୟ ଅଭିଯୁକ୍ତ କରାଯାଇ ଗିରଫ କରାଯାଇଥିଲା। ପୁଲିସ କହିବା ଅନୁସାରେ, ସରକାରଙ୍କୁ ବଦନାମ କରିବା ଲାଗି ଗୁଜବ ପ୍ରଚାର କରି ‘ଏସ୍‌ଏସ୍‌ସି ପବ୍ଲିକ୍‌ ଏକ୍ଜାମିନେସନ୍‌’ରେ ବିଶୃଙ୍ଖଳା କରିବା ଲାଗି ବଂଦୀ ସଞ୍ଜୟ କୁମାର ଅନ୍ୟ ଅଭିଯୁକ୍ତମାନଙ୍କ ସହିତ ମିଶି ଷଡ଼ଯନ୍ତ୍ର କରୁଥିଲେ। ଏହା ପୂର୍ବରୁ ଏସ୍‌ଏସ୍‌ସି’ ପରୀକ୍ଷାର ଦୁଇଟି ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା।

ତେଣୁ, ‘ଏସ୍‌ଏସ୍‌ସି’ ପ୍ରଶ୍ନପତ୍ର ଲିକ୍‌ ମାମାଲରେ ଏପ୍ରିଲ୍‌ ୫ ତାରିଖ ଦିନ ବଂଦୀ ସଞ୍ଜୟ କୁମାରଙ୍କୁ ଏପ୍ରିଲ୍‌ ୧୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରଖିବାକୁ ରିମାଣ୍ଡ୍‌ରେ ନିଆଯାଇଥିଲା। କିନ୍ତୁ, ଏହାର ଦିନକ ପରେ ତେଲେଙ୍ଗାନା ହାଇକୋର୍ଟ ଉକ୍ତ ରିମାଣ୍ଡ୍‌କୁ ରଦ୍ଦ କରି ବଂଦୀଙ୍କ ଜାମିନ ପାଇଁ ମାଜିଷ୍ଟ୍ରେଟ୍‌ କୋର୍ଟରେ ଆବେଦନ କରିବା ଲାଗି ତାଙ୍କ ଓକିଲମାନଙ୍କୁ ନିର୍ଦେଶ ଦେଇଥିଲେ।

Comments are closed.