ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ, ଝାନ୍ତୁ କାହିଁକି

ନୂଆଦିଲ୍ଲୀ: ଦଣ୍ଡାଦେଶ ସମୟ ଅବ୍ୟବହିତ ପୂର୍ବରୁ ଜେଲ୍‌ରୁ ମୁକ୍ତ କରାଯାଇଥିବା ପ୍ରସଙ୍ଗରେ ଆଜି ସୁପ୍ରିମ୍‌ କୋର୍ଟ ବିହାର ସରକାର ଓ ଦଣ୍ଡାଦେଶ ପାଇଥିବା ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ନୋଟିସ୍‌ ଜାରି କରିଛନ୍ତି। ‘ଆଇଏଏସ୍‌’ ଅଫିସର୍‌ ଜି. କ୍ରିଷ୍ଣୈୟାଙ୍କୁ ହତ୍ୟା କରାଯିବା ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଆନନ୍ଦ ମୋହନ ବିହାର ଜେଲ୍‌ ନିୟମ ସଂଶୋଧିତ ହେବା ପରେ ଗତ ମାସରେ ସହରସ ଜେଲ୍‌ରୁ ମୁକୁଳି ଥିଲେ।

ନିହତ ‘ଆଇଏଏସ୍‌’ ଅଫିସର୍‌ଙ୍କ ସ୍ତ୍ରୀ ଉମା କ୍ରିଷ୍ଣୈୟାଙ୍କ ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଆଜି ଉପରୋକ୍ତ ନୋଟିସ୍‌ ଜାରି କରିଛନ୍ତି। ଗ୍ୟାଙ୍ଗ୍‌ଷ୍ଟର୍‌-ରାଜନେତା ଆନନ୍ଦ ମୋହନଙ୍କ ସମୟ ଅବ୍ୟବହିତ ପୂର୍ବରୁ ମୁକ୍ତିକୁ ଚାଲେଞ୍ଜ୍‌ କରି ସେ ସୁପ୍ରିମ୍‌ କୋର୍ଟରେ ପିଟିସନ୍‌ ଫାଇଲ୍‌ କରିଥିଲେ। ସୂଚନାଯୋଗ୍ୟ, ଆନନ୍ଦ ମୋହନଙ୍କୁ ମୁକ୍ତ କରିବା ଲାଗି ନୀତୀଶ କୁମାରଙ୍କ ନେତୃତ୍ବାଧୀନ ବିହାର ସରକାର କାରାଗାର ନିୟମ ପରିବର୍ତ୍ତନ କରିବା ଘଟଣାରେ କେନ୍ଦ୍ରୀୟ ସିଭିଲ୍‌ ସର୍ଭିସେସ୍‌ ଅଫିସର୍‌ମାନଙ୍କର ପ୍ରତିନିଧିତ୍ବ କରୁଥିବା ଏକ ସଙ୍ଗଠନ ଗଭୀର ବିସ୍ମୟ ପ୍ରକାଶ କରିଥିଲା।

ସମୟ ଅବ୍ୟବହିତ ପୂର୍ବରୁ ଆନନ୍ଦ ମୋହନଙ୍କୁ ମୁକ୍ତ କରାଯିବା ଘଟଣା ବିହାରରେ ରାଜନୈତିକ ବାଦବିବାଦ ମଧ୍ୟ ସୃଷ୍ଟି କରିଥିଲା। ବିରୋଧୀ ଦଳମାନେ କହିଥିଲେ ଯେ, ବିହାରକୁ ପୁଣି ‘ଜଙ୍ଗଲ୍‌ ରାଜ୍‌’ ଫେରିଲା। କିନ୍ତୁ, ବିହାର ସରକାର ସ୍ପଷ୍ଟୀକରଣ‌ ଦେଇ କହି‌ଥିଲେ କି, ନିର୍ଦ୍ଧାରିତ ନୀତି ନିୟମ ଆଧାରରେ ମୋହନଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଛି।

Comments are closed.