ସୁନକ- ଜନସନ କିଏ ସମ୍ଭାଳିବେ ବ୍ରିଟେନ

ନୂଆଦିଲ୍ଲୀ : ଲିଜ ଟ୍ରସ୍‌ ସରକାରଙ୍କ ଦ୍ବାରା ଦେଶର ଅର୍ଥନୀତିର କୁପରିଚାଳନାକୁ ନେଇ ରାଜନୈତିକ ହଟଚମଟ ଲାଗି ରହିଥିବା ବେଳେ ପୂର୍ବତନ ଅର୍ଥମନ୍ତ୍ରୀ ସୁନକଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଇଛି। ଋଷି ସୁନକ ନିର୍ବାଚନ
ସମୟରେ ଚେତାଇ ଦେଇଥିଲେ ଯେ ଟ୍ରସ୍ ପ୍ରଧାନମନ୍ତ୍ରୀ ହେବାପରେ ଯଦି ତାଙ୍କ ଯୋଜନା କାର୍ଯ୍ୟକାରୀ କରନ୍ତି ତେବେ ତାହାଦ୍ବାରା ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିବ ଏବଂ ଆର୍ଥିକ ବଜାରରେ ଅସ୍ଥିରତା ଦେଖାଦେବ। ଏବେ ଏହା ସତ ପ୍ରମାଣିତ ହୋଇଥିବା ବେଳେ ସୁନକଙ୍କ ପ୍ରତି ସମର୍ଥନ ବଢ଼ୁଥିବା ଜଣାପଡ଼ିଛି।

ନିକଟରେ ହୋଇଥିବା ଏକ ଜନମତ ସର୍ଭେ ମୁତାବକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ୫୫ ପ୍ରତିଶତ ଲୋକେ ଋଷି ସୁନକଙ୍କୁ ଦେଖିବାକୁ ଚାହୁଛନ୍ତି ଏବଂ ସେ ଏହି ପଦ ପାଇଁ ସର୍ବାଧିକ ପସନ୍ଦ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ଅନ୍ୟତମ ପ୍ରାର୍ଥୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କୁ ୨୯ ପ୍ରତିଶତ ସମର୍ଥନ ମିଳିଛି। ଟ୍ରସ୍‌ ଇସ୍ତଫା ଦେବାପୂର୍ବରୁ ମଧ୍ୟ ହୋଇଥିବା ଏକ ସର୍ଭେରେ ୫୫ ପ୍ରତିଶତ ସଦସ୍ୟ ଟ୍ରସ୍‌ଙ୍କ ଇସ୍ତଫା ଚାହିଥିଲେ।

ଗତ ଜୁଲାଇରେ ସୁନକଙ୍କ ଇସ୍ତଫା ସହ ଅନ୍ୟ ମନ୍ତ୍ରୀମାନଙ୍କ ଇସ୍ତଫାର ସୁଅ ଛୁଟିଥିଲା। ଫଳରେ ବୋରିସ ଜନସନ୍‌ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାପାଇଁ ବାଧ୍ୟ ହୋଇଥିଲେ। ତେବେ ବୋରିସ ପୁଣିଥରେ ବ୍ରି‌ଟେନ ପ୍ରଧାନମନ୍ତ୍ରୀ ହେବାପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି। ସୁନକଙ୍କ ଅପେକ୍ଷା ତାଙ୍କୁ ଅଧିକ ଟୋରି ସଦସ୍ୟଙ୍କ ସମର୍ଥନ ମିଳିବ ବୋଲି କୁହାଯାଉଛି। କିନ୍ତୁ ସୁନକ ସବୁଠୁ ଅଧିକ ପସନ୍ଦର ପ୍ରାର୍ଥୀ ହୋଇଛନ୍ତି। ଯେ କୌଣସି ପ୍ରାର୍ଥୀ ୧୦୦ ସାଂସଦଙ୍କ ସମର୍ଥନ ସହ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢ଼ିପାରିବେ। ବ୍ରିଟେନ ସଂସଦ‌ରେ ୩୫୭ ଟୋରି ସାଂସଦ ଅଛନ୍ତି। ତେଣୁ ୩ ଜଣ ପ୍ରାର୍ଥିପତ୍ର ଦାଖଲ କରିବେ।

Comments are closed.