ନିଜ ଭାଷଣରେ କୌଣସି ବିବାଦ ସୃଷ୍ଟି ନ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାଷଣ ପ୍ରସଙ୍ଗରେ କୌଣସି ଅଭିଯୋଗ ହେବାପର୍ଯ୍ୟନ୍ତ ଅପେକ୍ଷା ନକରି ନିଜଆଡ଼ୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାର ଏବଂ ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଘୃଣା ଭାଷଣ ଏବଂ ଘୃଣା ଅପରାଧକୁ ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ‌ନହେଲେ ଏହାକୁ ଅଦାଲତ ଅବମାନନା ବିବେଚନା କରାଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।

ଜଷ୍ଟିସ୍‌ କେଏମ୍‌ ଯୋସେଫ୍‌ ଏବଂ ଜଷ୍ଟିସ୍‌ ହୃଷିକେଶ ରାୟଙ୍କ ଖଣ୍ଡପୀଠ ନିକଟରେ ଅନୁଷ୍ଠିତ ହୋଇଥିବା ଧର୍ମ ସଂସଦରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ଦିଆଯାଇଥିବା ଘୃଣା ଭାଷଣ ପ୍ରସଙ୍ଗରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି, ଏହା ଏକବିଂଶ ଶତାବ୍ଦୀ। ଧର୍ମ ଓ ଈଶ୍ବରଙ୍କୁ ନେଇ ଆମେ କେଉଁ ସ୍ତରକୁ ନେଇ ଆସିଲେଣି। ଘୃଣା ଭା‌ଷଣ ବଢ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ କୋର୍ଟ କହିଛନ୍ତି କୌଣସି ଧର୍ମକୁ ନଦେଖି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ। ଏହାଦ୍ବାରା ଭାରତର ଧର୍ମନିରପେକ୍ଷ ନୀତି କାଏମ ରହିପାରିବ। କୋର୍ଟ କହିଛନ୍ତି, ପୁଲିସ ଏଭଳି ମାମଲାରେ ଅଭିଯୋଗ ହେବା ପର୍ଯ୍ୟନ୍ତ ଅପେକ୍ଷା ନକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।

Comments are closed.