୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୯ ।୧: ଦୁର୍ନୀତିଗ୍ରସ୍ତ ବିରୋଧରେ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ୭ ଜଣଙ୍କ ନାଁରେ ଦୁର୍ନୀତି ମାମଲା ଥିବା ବେଳେ ୨ ଜଣଙ୍କୁ ଅପରାଗତା ପାଇଁ ସେମାନଙ୍କୁ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ୧୧୩ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି ରାଜ୍ୟ ସରକାର ।

ତେବେ ଖଣି, ଶ୍ରମ, ଜଙ୍ଗଲ ଓ ନଜସ୍ୱାସ୍ଥ୍ୟ ବିଭାଗର ୯ ଅଧିକାରୀ ବିଦା ହୋଇଛନ୍ତି । ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ, ଶ୍ରମ ବିଭାଗର ଜଣେ ଯୁଗ୍ମ କମିସନର ଏଥିରେ ସାମିଲ ଅଛନ୍ତି । ଉପନିର୍ଦ୍ଦେଶକ ମଦନମୋହନ ମିଶ୍ରଙ୍କ ନାଁରେ ଦୁର୍ନୀତି ପ୍ରମାଣିତ ହୋଇଛି । ମଦନମୋହନ ନାଁରେ ୯ଟି ଭିଜିଲାନ୍ସ ମାମଲା ରହିଛି ।

ଏହା ସହ ଖଣି ଅଧିକାରୀ ରମେଶ ଚନ୍ଦ୍ର ମହାଲିକ ବିଦା ହୋଇଛନ୍ତି । ରମେଶଙ୍କ ନାଁରେ ୪ଟି ଭିଜିଲାନ୍ସ ମାମଲା ରହିଛି । ବଲାଙ୍ଗିର ମୁରିବାହାଲ ଫରେଷ୍ଟ ରେଞ୍ଜ ଅଧିକାରୀ ପ୍ରଶାନ୍ତ ନାୟକ ମଧ୍ୟ ବିଦା ହୋଇଛନ୍ତି । ପ୍ରଶାନ୍ତଙ୍କ ନାଁରେ ରହିଛି ଭିଜିଲାନ୍ସ ମାମଲା । ସୁନ୍ଦରଗଡ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ନାରାୟଣ ପ୍ରଧାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ ପ୍ରଧାନ ମଧ୍ୟ ଚାକିରିରୁ ବିଦା ହୋଇଛନ୍ତି । ଲକ୍ଷ୍ମଣଙ୍କ ନାଁରେ ରହିଛି ୨ଟି ଭିଜିଲାନ୍ସ ମାମଲା ।

Comments are closed.