ସୁପ୍ରିମକୋର୍ଟ ଗଲେ ଶରତ ପାୱାର

ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଆରମ୍ଭ ହୋଇଯାଇଛି ହଲଚଲ। ଶରଦ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିକୁ ଲାଗିଛି ବଡ଼ ଝଟ୍‌କା। ଦାଦା ଶରଦଙ୍କ ହାତରୁ ଏନ୍‌ସିପିକୁ ଛଡାଇ ନେଇଯାଇଛନ୍ତି ପୁତୁର ଅଜିତ ପାଓ୍ୱାର। ମଙ୍ଗଳବାର ନିର୍ବାଚନ କମିଶନ ଦୀର୍ଘ ଦିନ ଧରି ଲାଗି ରହିଥିବା ଦାଦା-ପୁତିରା କଳିର ସମାଧାନ କରିଛନ୍ତି। ଅଜିତ ପାଓ୍ୱାରଙ୍କ ଏନ୍‌ସିପି ଗୋଷ୍ଠୀକୁ ଅସଲ ଏନ୍‌ସିପି ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ। କେବଳ ସେତିକି ନୁହେଁ ଦଳର ନାଁ ଓ ଚିହ୍ନକୁ ମଧ୍ୟ ଅଜିତ ପାଓ୍ୱାରଙ୍କ ଦଳକୁ ଶରଦ ପାଓ୍ୱାରଙ୍କ ଠାରୁ ଛଡାଇ ନେଇଛି। ଏହାପରେ ଏବେ ଶରଦ ପାଓ୍ୱାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି।

ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ପରେ ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଦଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଶୀଘ୍ର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇପାରନ୍ତି। ଆଜି ଏହି ମାମଲାରେ ଶରଦ ପାଓ୍ୱାରଙ୍କ ଘରେ ଏକ ଗୁରୁତ୍ୱୂପର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ସୁପ୍ରିୟା ସୁଲେ ଏବଂ ଶରଦ ପାୱାର ସଂସଦକୁ ଗସ୍ତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଆମେ ସୁପ୍ରିମକୋର୍ଟ ଯିବୁ। ତେବେ ଦଳର ନୂଆ ନାଁ ଓ ନିର୍ବାଚନୀ ଚିହ୍ନ ବିଷୟରେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି।

ଶରଦ ପାୱାରଙ୍କ ଗୋଷ୍ଠୀ ନୂଆ ଚିହ୍ନ ଓ ନାଁ ପାଇଁ ଖୁବଶୀଘ୍ର ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ। ଏଥିପାଇଁ ବୁଧବାର ଦିନ ୪ଟା ଯାଏଁ ସମୟ ଦିଆଯାଇଛି। କୁହାଯାଉଛି ଯେ, ଶରଦ ପାୱାର କଂଗ୍ରେସ, ମି’ ରାଷ୍ଟ୍ରବାଦୀ କିମ୍ବା ଶରଦ ପାୱାର ସ୍ୱାଭିମାନୀ ପକ୍ଷ ହୋଇପାରେ। ଏଥିସହ ଦଳର ଚିହ୍ନ ଉଦୟ ହେଉଥିବା ସୂର୍ଯ୍ୟ କିମ୍ବା ଚଷମା ହୋଇପାରେ ବୋଲି ସୂତ୍ରରୁ ଜଣାପଡିଛି।

ସେପଟେ ଶରଦ ପାଓ୍ୱାରଙ୍କ ପୂର୍ବରୁ ଆଗୁଆ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଅଜିତ ପାୱାର ଗୋଷ୍ଠୀ। ବୁଧବାର କୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ସେମାନଙ୍କ ତରଫରୁ ବିରୋଧୀଦଳଙ୍କ ଦ୍ୱାରା ଦାଖଲ ହୋଇଥିବା କୌଣସି ଆବେଦନ ଉପରେ ଶୁଣାଣି ନ କରାଯିବାକୁ ଦାବି କରାଯାଇଛି। ଅଜିତଙ୍କ ଗୋଷ୍ଠୀ ପିଟିସନ ଦାଖଲ କରି କୋର୍ଟରେ ଆବେଦନ କରିଛନ୍ତି ଯେ ଯଦି ଶରଦ ପାୱାର ଦଳ ପକ୍ଷରୁ ନିର୍ବାଚନ ସଙ୍କେତ ସହ ଜଡିତ ଏକ ଆବେଦନ କରାଯାଏ, ତା’ହେଲେ ସେମାନଙ୍କ ପକ୍ଷର ମଧ୍ୟ ଶୁଣାଣି କରାଯିବା ଉଚିତ।

Comments are closed.