ମୋଦିଙ୍କୁ ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଚିଦମ୍ବରାମ

ନୂଆଦିଲ୍ଲୀ : ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ଘେରିବା ସହ କଡ଼ା ସମାଲୋଚନା ଓ କଟାକ୍ଷ କରିବାର କୌଣସି ସୁଯୋଗ ହାତଛଡ଼ା କରୁନଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ ପ୍ରଥମ ଥର ପାଇଁ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଅର୍ଥନୈତିକ ଅସ୍ଥିରତା ସମୟରେ ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବାରେ ମୋଦୀ ସରକାର ବହୁତ ଭଲ କାମ କରିଛନ୍ତି ବୋଲି ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ ୨୦୨୩’ରେ ଭାଗ ନେଇ ସେ କହିଛନ୍ତି।
କନ୍‌କ୍ଲେଭ୍‌କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତର ତିକ୍ତ ଅନୁଭୂତିରୁ ଏହି ଶିକ୍ଷା ମିଳିଛି ଯେ ଆମକୁ ଋଣ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଋଣର ସଫଳ ମୁକାବିଲା କରିବାକୁ ହେବ। ଅନ୍ୟଥା ତାହା ସରକାରଙ୍କ ବ୍ୟୟ, ଦରଦାମ୍ ମୁକାବିଲା ପଦକ୍ଷେପ ଏବଂ ବ୍ୟୟ କରିବାର କ୍ଷମତାକୁ ପ୍ରଭାବିତ କରିବ। ଋଣ ପରିଚାଳନା ଓ ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ଲାଗି ଏକନିଷ୍ଠ ହୋଇ କାର୍ଯ୍ୟ କରିଥିବାରୁ ମୁଁ ନରେନ୍ଦ୍ର ମୋଦୀ ସରକାରଙ୍କୁ ଶ୍ରେୟ ଦେବାକୁ ଚାହୁଛି।

ଯେତେବେଳେ ସରକାରଙ୍କ ଆୟ ତୁଳନାରେ ବ୍ୟୟ ଅଧିକ ହୁଏ ସେତେବେଳେ ବିତ୍ତୀୟ ନିଅଣ୍ଟ ସୃଷ୍ଟି ହୋଇଥାଏ। ୨୦୨୨-୨୩ ଆର୍ଥିକ ବର୍ଷ ଯାହା‌ ଚଳିତ ମାସ ୩୧ରେ ଶେଷ ହେବାକୁ ଯାଉଛି ସେହି ସମୟରେ ବିତ୍ତୀୟ ନିଅଣ୍ଟ ୧୭.୫୫ ଲକ୍ଷ କୋଟି ଟଙ୍କା ରହିବ ବୋଲି ବଜେଟ୍‌ରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ତାହା ୬.୪ ପ୍ରତିଶତ। ବିତ୍ତୀୟ ନିଅଣ୍ଟକୁ ସରକାର ପ୍ରାୟତଃ ଋଣ ଜରିଆରେ ଭରଣା କରିଥା’ନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ୍‌କୁ ଜିଡିପିର ୫.୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୨୫-୨୬ ସୁଦ୍ଧା ତାହାକୁ ଜିଡିପିର ୪.୫ ପ୍ରତିଶତ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି।

Comments are closed.