ଜେଲ ଗଲେ ହିନ୍ଦୋଳ ଏସଡ଼ିପିଓ

ଢେଙ୍କାନାଳ : ବିଭିନ୍ନ ମଲାରେ ଅଭିଯୁକ୍ତଙ୍କୁ ବାନ୍ଧି ହାଜତ ଠିକଣା ଦେଖାଉଥିଲେ। ଏବେ ଜଣେ ପଥର କ୍ୱାରି ଲିଜ୍‌ଧାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଜେଲ ଯାଇଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ଏସ୍‌ଡିପିଓ ତଥା ଓଡ଼ିଶା ପୋଲିସ ସେବାର ବରିଷ୍ଠ ଅଧିକାରୀ ମଳୟ କିଶୋର ନାୟକ। ଅଭିଯୁକ୍ତ ଏସ୍‌ଡିପିଓଙ୍କୁ ଗିରଫ କରାଯିବା ପରେ ଗୁରୁବାର ଅପରାହ୍ନ ୧ଟା ରେ ଢେଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଥିଲା। ତେବେ ସମ୍ପୃକ୍ତ କୋର୍ଟର ବିଚାରପତି ଛୁଟିରେ ଥିଲେ। ତାଙ୍କ ଦାୟିତ୍ୱରେ ଥିବା ବିଚାରପତି ମଳୟଙ୍କୁ ୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅନ୍ୟପଟେ ଭିଜିଲାନ୍ସ ଟିମ୍‌ ଅଭିଯୁକ୍ତ ଏସ୍‌ଡିପିଓଙ୍କୁ ୩ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି। ଶୁକ୍ରବାର ଏହାର ଶୁଣାଣି ହେବ।
ରାସୋଳ ଥାନା କାରନ୍ଦା ଅଞ୍ଚଳରେ ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥର ଖାଦାନ ଲିଜ୍‌ଧାରୀଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଥିଲେ ମଳୟ। ଏହାପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିବାକୁ ଭିଜିଲାନ୍ସ ପକ୍ଷରୁ ଢେଙ୍କାନାଳ, ଭୁବନେଶ୍ୱର, ପୁରୀ, ଅନୁଗୋଳ, ସମ୍ବଲପୁର ଅଞ୍ଚଳରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ସେ ଚାକିରି କରୁଥିବା ବିଭିନ୍ନ ଜିଲାର ବ୍ୟାଙ୍କଗୁଡ଼ିକରେ ଥିବା ଡିପୋଜିଟ୍‌ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏହି ମାମଲାକୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରାକେଶ ସାହୁ ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ ପରିଚାଳନା କରୁଛନ୍ତି।

Comments are closed.