ଅଜଗର ମଣିଷ ଗିଳିବା ଗୁଜବ

ଭୁବନେଶ୍ୱର : ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଅଜଗର ଗିଳିଲା ମଣିଷ । ଘଟଣାକ୍ରମରେ ବାଙ୍କୀ ଅନ୍ତର୍ଗତ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧଙ୍କୁ ଏକ ଅଜଗର ଗିଳିଦେଇଥିବା ଖବର ମଙ୍ଗଳବାରଠାରୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯଦିଓ ସାପଟି ମଣିଷକୁ ଗିଳିବା ବା ଧରିବା କେହି ଦେଖିନାହାନ୍ତି, କିନ୍ତୁ ଭାଇରାଲ ଭିଡିଓରେ ଥିବା ଉକ୍ତ ଅଜଗର ମଣିଷ ମୋଟାର କିଛି ଗୋଟେ ଗିଳିଥିବା ଦେଖିବାକୁ ମିଳୁଛି । ପୁଣି ଠିକ୍‌ ଏହି ସମୟରେ ଜଣେ ବ୍ୟକ୍ତିଙ୍କ ପତ୍ତା ନ ମିଳିବା ଓ ତାଙ୍କ ବାଇକ୍‌ ଜଙ୍ଗଲରୁ ଠାବ ହେବା ଘଟଣା ଏଭଳି ସନ୍ଦେହକୁ ଦୃଢ଼ୀଭୂତ କରୁଛି ।

ସେପଟେ ଏ ଘଟଣାକୁ ଅନ଼ୁଧ୍ୟାନ କରିବା ପାଇଁ ବୁଧବାର ସ୍ନେକ୍‌ ହେଲ୍ପଲାଇନର ୫ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇଥିଲେ । ତାଙ୍କ ସହିତ ଦୁଇଜଣ ବନ କର୍ମଚାରୀ ମଧ୍ୟ ଯାଇଥିଲେ । କିନ୍ତୁ ସେଠାରେ ଅଜଗର ସାପ ଦେଖାଯାଇ ନ ଥିଲା । ସାପର ଘୋଷରା ଦାଗ ସହିତ ମଳତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା ।

ଏ ନେଇ ହେଲ୍ପଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ୧୦-୧୨ଫୁଟ ଅଜଗର ହୁଏତ ଏକ ସାଢେ ୫ ଫୁଟରୁ ଅଧିକ ଲମ୍ବର ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କୁ ମାରିବାକୁ ସକ୍ଷମ ହୋଇପାରିବ । କିନ୍ତୁ ଗିଳିବା ସମ୍ଭବ ନୁହେଁ ।

ଖାଲି ଓଡ଼ିଶା ନୁହେଁ, ଭାରତୀୟ ଅଜଗର ଭାରତ ବା ଅନ୍ୟ କେଉଁଠି ମଣିଷକୁ ଗିଳିଥିବା ନଜର ନାହିଁ । ଅଜଗର ଖାଇଛି ବୋଲି ଭାବି ସେ ଦିଗରେ ମାତିଲେ ଆମେ ନିଖୋଜ ବ୍ୟକ୍ତିଙ୍କଠାରୁ ଦୂରେଇଯିବା ଏବଂ ତାଙ୍କ ଜୀବନ ଅଧିକ ବିପନ୍ନ ହୋଇପଡ଼ିବ ।

ତେବେ ଅଜଗରଟି ମଣିଷ ଖାଇଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ଏକ୍ସ-ରେ କରିବାକୁ ପଡ଼ିବ ବୋଲି ଶୁଭେନ୍ଦୁ କହିଛନ୍ତି ।

Comments are closed.