ପ୍ରଚାର ପିଲାଙ୍କୁ ସାମିଲ କରିବା ମନା

0

ନିର୍ବାଚନୀ ସଭା ଓ ରାଲିରେ ପିଲାମାନଙ୍କୁ ନିୟୋଜିତ ନ କରିବା ପାଇଁ ନିର୍ବାଚନ କମିଶନ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଦଳର ପ୍ରଚାର କାର୍ଯ୍ୟରେ ପିଲାମାନଙ୍କୁ ସାମିଲ କରାଯାଉଥିବା ନେଇ ଅଭିଯୋଗ ପାଇବା ପରେ ଓଡ଼ିଶା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ୍‌. ଥିରୁମାଲା ନାଏକ ଉପରୋକ୍ତ ସର୍କୁଲାର ଜାରି କରିଛନ୍ତି। ରାଜ୍ୟର ସମସ୍ତ ସ୍ବୀକୃତିପ୍ରାପ୍ତ ଜାତୀୟ ଏବଂ ଆଞ୍ଚଳିକ ଦଳର ସଭାପତି ତଥା ସମ୍ପାଦକଙ୍କୁ ଏହି ନିର୍ଦ୍ଦେଶନାମା ପଠାଯାଇଛି। ସର୍କୁଲାର ଅନୁଯାୟୀ ନିର୍ବାଚନ ପ୍ରଚାର, ପ୍ରାଚୀର ଲିଖନ, କୌଣସି ପ୍ରକାର ରାଲି, ପୋଷ୍ଟର ଲଗାଇବା, ପ୍ରଚାରପତ୍ର ବଣ୍ଟନ କରିବା କିମ୍ବା ସ୍ଲୋଗାନ ଦେବା ଆଦି କାର୍ଯ୍ୟରେ ରାଜନୈତିକ ଦଳ ପିଲାମାନଙ୍କୁ ଲଗାଇପାରିବେ ନାହିଁ। ପ୍ରଚାର ରାଲି ଏବଂ ନିର୍ବାଚନୀ ସଭାରେ ସେମାନଙ୍କୁ ସାମିଲ କରାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି। ତେବେ ମା’, ବାପା କିମ୍ବା ଅଭିଭାବକଙ୍କ ସହ ପିଲାମାନେ ନିର୍ବାଚନୀ ସଭାକୁ ଯାଇପାରିବେ। ରାଜନେତାଙ୍କ ପ୍ରଚାର କାର୍ଯ୍ୟରେ ସମ୍ପୃକ୍ତ ନ ଥିବା ଅଭିଭାବକଙ୍କ ସହ ପିଲାମାନେ ସଭାକୁ ଗଲେ ଉପରୋକ୍ତ ଗାଇଡ୍‌ଲାଇନର ଉଲ୍ଲଂଘନ ବୋଲି ଧରାଯିବ ନାହଁି। ଓଡ଼ିଶାରେ ମେ’ ୧୩ରୁ ୪ ପର୍ଯ୍ୟାୟରେ ଲୋକ ସଭା ସହିତ ରାଜ୍ୟ ବିଧାନସଭା ନର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

Leave A Reply

Your email address will not be published.