କାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ରେବାନ୍ଥ ରେଡ୍ଡୀ

କେଉଁ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଚାଲିଛି ଘନଘନ ବୈଠକ । ଏହି ପଦରେ କାହାକୁ ଆସୀନ କରାଯିବ ସେନେଇ ଚର୍ଚ୍ଚା ବି ଜୋରଦାର ହେଉଛି । ରାଜସ୍ଥାନରେ ଏହି ପଦ ପାଇଁ ଜଣ ଚେହେରା ଥିବାବେଳେ ଅନ୍ୟ ରାଜ୍ୟରେ ଆଦିବାସୀ କାର୍ଡକୁ ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ କେ, ରେଭାନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ହୋଇସାରିଛି । ବିଧାୟକଙ୍କ ସହ ଆଲୋଚନା ପରେ କଂଗ୍ରେସ ହାଇକମାଣ୍ଡ ରେଭାନ୍ତଙ୍କ ନାମ ଉପରେ ମୋହର ଲଗାଯାଇଥିବା ସୂଚନା ମିଳିଛି । ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

୨୦୨୧, ଜୁନ୍-ଜୁଲାଇରେ ତାଙ୍କୁ ତେଲେଙ୍ଗାନା କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ଏହା ପରେ ସେ ଲଗାତର ତୃଣମୂଳ ସ୍ତରରେ କାମ କରିଆସୁଛନ୍ତି । ବିଧାନସଭା ନିର୍ବାଚନ ଜିତିବା ପରେ ହାଇକମାଣ୍ଡଙ୍କର ସେ ପ୍ରଥମ ପସନ୍ଦ ମଧ୍ୟ ରହିଆସିଛନ୍ତି । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସର ଜବରଦସ୍ତ ବିଜୟରେ ରେଭାନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଦୀର୍ଘ ୧୦ ବର୍ଷ ଧରି ଶାସନରେ ଥିବା କେସିଆରଙ୍କ ବିଆରଏସକୁ ଗାଦିଚ୍ୟୁତ କରିଥିଲା କଂଗ୍ରେସ । ରେଭାନ୍ତ ୨୦୧୯ରେ ଲୋକସଭା ନିର୍ବାଚନରେ ଟିଆରଏସ ପ୍ରାର୍ଥୀଙ୍କ ଠାରୁ ହାରିଯାଇଥିଲେ । କିନ୍ତୁ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ତାଙ୍କୁ ବିଧାୟକ ଟିକେଟ୍ ଦେଇଥିଲା କଂଗ୍ରେସ । ଚଳିତଥର ସେ ଦୁଇଟି ସ୍ଥାନରୁ ବିଧାୟକ ଆସନ ପାଇଁ ଲଢ଼ିଥିବା ବେଳେ ଗୋଟିଏରେ ବିଜୟୀ ହୋଇଥିଲେ ଏବଂ ଆଉ ଗୋଟିଏରେ ପରାସ୍ତ ହୋଇଥିଲେ । ନିର୍ବାଚନ ଜିତିବା ପରେ ସମର୍ଥକ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଅଡ଼ି ବସିଥିଲେ । ଆଉ ହାଇକମାଣ୍ଡ ମଧ୍ୟ ରେବନ୍ତଙ୍କ ନାଁ ଉପରେ ମୋହର ମାରିଛନ୍ତି । ତେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କେବଳ ଆନୁଷ୍ଠାନିକ ଘୋଷଣା କରିବେ ।

Comments are closed.