ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା: ୨୨ ବର୍ଷ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର, ୨୨ା୨: ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ମିଳିଛି ବଡ ସଫଳତା । ବାରଙ୍ଗ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳକୁ ଗିରଫ କରିଛି ପୋଲିସ । କମିଶନରେଟ ପୋଲିସ ବିବନକୁ ଗିରଫ କରିଥିବା ଜଣାପଡ଼ିଛି ।

ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି ଯେ, ‘୧୯୯୯ ମସିହା ଜାନୁଆରୀ ମାସ ୯ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଏକ କାର ଭିତରେ ଏହି ଗଣଦୁଷ୍କର୍ମ ହୋଇଥିଲା । ଏହି ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ବିବନ ମହାରାଷ୍ଟ୍ର ପୁଣେରେ ସେ ନିଜର ନାମ ବଦଳାଇ ଜଳନ୍ଧର ସ୍ୱାଇଁ ରଖିଥିଲା । ସେଠାରେ ସେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ପରିଚୟ ପତ୍ର, ଆଧାରକାର୍ଡ, ପାସବୁକ ଜଳନ୍ଧର ନାଁରେ ଥିଲା । ୩ ମାସ ତଳେ ‘ସାଇଲେଣ୍ଟ ଭାଇପର’ ଅପରେସର ଆରମ୍ଭ ହୋଇଥିଲା । ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ପଦିଆ ଓ ଟୁନିଆ ଗିରଫ ହୋଇଥିଲେ । ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ କରିଥିଲେ ତକ୍ରାଳୀନ ଜିଲ୍ଲା ଜଜ୍ । ୱାରେଣ୍ଟ ବଳରେ ଆଜି କୋର୍ଟରେ ବିବନକୁ କମିଶନରେଟ ପୋଲିସ ହାଜର କରିବ । ବିବନ ଧରାପଡ଼ଡ଼ିବା ପୋଲିସ ପାଇଁ ଏକ ବହୁତ ବଡ଼ ସଫଳତା ।’ ସିବିଆଇ ଯେଉଁ କାର୍ଯ୍ୟ କରିପାରିନଥିଲା ତାହା କମିଶନରେଟ ପୋଲିସ କରିପାରିଛି ବୋଲି କମିଶନର କହିଛନ୍ତି । ସିବିଆଇ ତଦନ୍ତ କରୁଥିବାରୁ ବିବନକୁ ଅଟକ ରଖିଥିବା ଜଣାଇ ଦେଇଛୁ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।

Comments are closed.