ସୁଖଦେବ ସିଂ ହତ୍ୟାକୁ ନେଇ ଅଶାନ୍ତ ରାଜସ୍ଥାନ

କର୍ଣ୍ଣି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ନିର୍ମମ ହତ୍ୟା ଘଟଣାରେ ଅଶାନ୍ତ ହୋଇ ଉଠିଛି ରାଜସ୍ଥାନ। ଏହା ପ୍ରତିବାଦରେ ଆଜି ରାଜସ୍ଥାନ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନା। ଏହି ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ସାରା ରାଜ୍ୟରେ ବନ୍ଦ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି ।

ଗତକାଲି ରାଜସ୍ଥାନ ଜୟପୁରରେ ରାଷ୍ଟ୍ରୀୟ ରାଜପୁତ କରନୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ଗୁଳିମାଡ଼ରେ ତାଙ୍କର ଦୁଇ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି।

ଏହି ହତ୍ୟାକାଣ୍ଡ ଖବର ପ୍ରଚାରିତ ହେବା ପରେ ଜୟପୁରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ରାଜପୁତ ସଂପ୍ରଦାୟର ଲୋକେ ଜୟପୁର ହସ୍ପିଟାଲରେ ଆଗରେ ଧାରଣା ଦେବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ସେପଟେ ଗୋଗାମେଡିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ରୋହିତ ଗୋଦାରା।

ହତ୍ୟାକାଣ୍ଡର ପ୍ରାୟ ଘଣ୍ଟାଏ ପରେ ରୋହିତ ଫେସବୁକରେ ପୋଷ୍ଟ କରିଛି ଯେ, ସୁଖଦେବ ସିଂ ଆମ ଶତ୍ରୁମାନଙ୍କ ସହ ମିଶିଥିବାରୁ ମୁଁ ଏ ହତ୍ୟା କରେଇଛି। ଆମ ଶତ୍ରୁମାନେ ନିଜ ନିଜ ଘର ବାହାରେ କୋକେଇ ସଜାଡ଼ି ପ୍ରସ୍ତୁତ ରୁହନ୍ତୁ। ଖୁବ୍ ଶୀଘ୍ର ଭେଟ ହେବ।

Comments are closed.