ଚିନ୍ତାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ସିଏମ ଏବଂ ଭେଟେରାନ କଂଗ୍ରେସ ନେତା ଅଶୋକ ଗେହଲଟ ଯୋଧପୁରର ସର୍ଦ୍ଦାରପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କିନ୍ତୁ, ତାଙ୍କ ନିର୍ବାଚନୀ ସତ୍ୟପାଠକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ଭାଜପା ବଡ ଅଭିଯୋଗ ଆଣିଛି। ଭାଜପା କହିଛି ନିର୍ବାଚନ ସତ୍ୟପାଠରେ ଦୁଇଟି ଅପରାଧିକ ମାମଲା ସମ୍ପର୍କରେ ସିଏମ ଗେହଲଟ କୌଣସି ସୂଚନା ଦେଇନାହାଁନ୍ତି। ଏଥିପାଇଁ ଦଳ ନିର୍ବାଚନ ଆୟୋଗଙ୍କୁ ଏକ ଅଭିଯୋଗ ପତ୍ର ଲେଖିଛି।

ରିପୋର୍ଟ ଅନୁଯାୟୀ, ଭାଜପା ଏହି ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀର ବୋଲି କହିଛି ଏବଂ ଗେହଲୋଟଙ୍କ ନାମାଙ୍କନପତ୍ର ରଦ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କଠାରେ ଦାବି କରିଛି। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି ନିର୍ବାଚନୀ ସତ୍ୟପାଠରେ ଗେହଲଟ ଜାଣିଶୁଣି ଏଫଆଇଆର୍‌ ବିଷୟରେ ସୂଚନା ଦେଇ ନାହାନ୍ତି। ତାଙ୍କ ବିରୋଧରେ ଆସିଥିବା ଦୁଇଟି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ମୁଖ୍ୟମନ୍ତ୍ରୀ ଏହି ମାମଲାଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଥିଲେ କିନ୍ତୁ ସତ୍ୟପାଠରେ ଏହା ଉଲ୍ଲେଖ କରି ନାହାନ୍ତି।

ଗେହଲଟଙ୍କ ବିରୋଧରେ ପ୍ରଥମ ମାମଲା ଜମି ସ୍କାମ ଏବଂ ଦ୍ୱିତୀୟଟି ଡକାୟତି ତଥା ବଳାତ୍କାର ଭଳି ଅପରାଧ ସହ ଜଡିତ। ନିର୍ବାଚନୀ ସତ୍ୟପାଠରେ ସେ ଏହି ଦୁଇଟି ବିଷୟରେ ଉଲ୍ଲେଖ କରିନାହାଁନ୍ତି। ଆମେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛୁ, ସେମାନେ ଏହି ଘଟଣାର ଅବଗତ ହୋଇ ଗେହଲଟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।

ଏଥି ସହିତ ଭାଜପାର ଅଭିଯୋଗ ପରେ ଜିଲା ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ସୂଚନା ଲୋଡିଛନ୍ତି। ଜିଲା ନିର୍ବାଚନ ଅଧିକାରୀ ହିମାଂଶୁ ଗୁପ୍ତା କହିଛନ୍ତି ସିଏମ ଅଶୋକ ଗେହଲଟଙ୍କ ବିରୋଧରେ ଅଭିଯୋଗ ପଞ୍ଜିକୃତ ହୋଇଛି। ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଲୋଡାଯାଇଛି। ରିପୋର୍ଟ ପାଇବା ପରେ, ଆମେ ଏହି ସମଗ୍ର ଘଟଣାର ଅନୁସନ୍ଧାନ କରିବୁ। ତେବେ ଏହି ସମଗ୍ର ପ୍ରସଙ୍ଗରେ ସିଏମ ଗେହଲଟ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

Comments are closed.