ଦିଲ୍ଲୀରେ ହେବ କୃତ୍ରିମ ବର୍ଷା, ଚିନ୍ତା ବଢ଼ାଇଛି ବାୟୁ ପ୍ରଦୂଷଣ

ବିଗୁଡିଛି ଦିଲ୍ଲୀ ବାୟୁ ଗୁଣାବତ୍ତା। ଗତ ଏକ ସପ୍ତାହ ମଧ୍ୟରେ ବାୟୁ ଗୁଣବତ୍ତାର ତୀବ୍ର ହ୍ରାସ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା 20-21ରେ ସହରରେ କୃତ୍ରିମ ବର୍ଷାର ଯୋଜନା କରୁଛନ୍ତି ଅରବିନ୍ଦ କେଜ୍ରିୱାଲ୍ ସରକାର।

ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ, ଅର୍ଥମନ୍ତ୍ରୀ ଅତିଶୀ ଏବଂ ଆଇଆଇଟି କାନପୁରର ଏକ ଟିମ୍ ମଧ୍ୟରେ ବୈଠକ ବସିଛି। ଆଲୋଚନା ସମୟରେ ବାୟୁ ଗୁଣାବତ୍ତାରେ ତୁରନ୍ତ ସୁଧାର ଆଣିବା ପାଇଁ କୃତ୍ରିମ ବର୍ଷାର ପ୍ରସ୍ତାବ ଦେଇଛନ୍ତି ଆଇଆଇଟି ଟିମ୍।

ଦିଲ୍ଲୀ ସରକାର ଏନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିବେ। ଯଦି ଯୋଜନା ଉପରେ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ମିଳେ, ତେବେ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ପଦକ୍ଷେପ ନେବେ।

ଦିଲ୍ଲୀ ସରକାର ଏବଂ ଆଇଆଇଟି ଟିମ୍ ସହ ଆଲୋଚନା ସମୟରେ ଟିମ୍ କହିଛି ଯେ, କୃତ୍ରିମ ବର୍ଷା ସୃଷ୍ଟି କରିବା ପାଇଁ ଆକାଶରେ ସର୍ବନିମ୍ନ 40 ପ୍ରତିଶତ ବାଦଲ ଆଚ୍ଛାଦିତ ହୋଇଥିବା ଆବଶ୍ୟକ। ନଭେମ୍ବର 20-21ରେ ବାଦଲ ଆଚ୍ଛାଦନ ହେବାର ସମ୍ଭାବନା ଅଛି। ଯଦି କୃତ୍ରିମ ବର୍ଷା ଯୋଜନା କାର୍ଯ୍ୟକାରୀ କରିବାକୁ ଅନୁମତି ମିଳେ, ତେବେ ଆମେ ପାଇଲଟ୍ ଷ୍ଟଡିର ଆରମ୍ଭ କରିପାରିବୁ ବୋଲି ଆଇଆଇଟି ଟିମ୍ କରିଛି।

Comments are closed.