ଆଜି ଦିଲ୍ଲୀରେ ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଏଣ୍ଟ୍ରି କରିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ବଦରପୁରରେ ପତାକା ହସ୍ତାନ୍ତର ଉତ୍ସବ ପରେ ରାହୁଲ୍ ଗାନ୍ଧୀଙ୍କ ନେତୃତ୍ୱାଧୀନ ‘ଭାରତ ‌ଯୋଡ଼ୋ ଯାତ୍ରା’ ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିଛି। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅନୀଲ ଚୌଧୁରୀ ଓ ଦଳୀୟ କର୍ମୀମାନେ ରାହୁଲ୍ ଗାନ୍ଧୀ ଓ ଅନ୍ୟ ପଦଯାତ୍ରୀଙ୍କୁ ସ୍ୱାଗତ କରିଥିଲେ।

ଦିଲ୍ଲୀରେ ପ୍ରବେଶ କରିବା ପରେ ଦିଲ୍ଲୀବାସୀଙ୍କୁ ରାହୁଲ୍ ଗାନ୍ଧୀ କହିଛନ୍ତି, କେତେକ ବ୍ୟକ୍ତି ଘୃଣାର ପ୍ରସାର କରୁଛନ୍ତି। ପ୍ରତ୍ୟେକ ରାଜ୍ୟରେ ଲକ୍ଷ ଲକ୍ଷ ଜନତା ଯାତ୍ରାରେ ଯୋଗ ଦେଇଛନ୍ତି। ଆମେ ୩ ହଜାର କିଲୋମିଟରରୁ ବି ଅଧିକ ଚାଲି ସାରିଲୁଣି । କିନ୍ତୁ ଏବେବି ମୁ ଥକିନି। ଆପଣମାନଙ୍କ ‘ଘୃଣା ବଜାର’ରେ ଆମେ ପ୍ରେମର ଦୋକାନ ଖୋଲିବୁ ବୋଲି ମୁଁ ‘ଆର୍‌ଏସ୍‌ଏସ୍‌-ବିଜେପି’ ଲୋକଙ୍କୁ କହିଛି। ନିର୍ବାଚିତ ହୋଇଥିବା ଲୋକେ ମଧ୍ୟ ଘୃଣାର ପ୍ରସାର କରୁଛନ୍ତି।

ଆମେ ଯୁଆଡ଼େ ଗଲୁ, ଆମକୁ ଭଲପାଇବା ମିଳିଲା। ଏହି ଯାତ୍ରା ଭୟ, ଘୃଣା, ବେକାରୀ ଏବଂ ମୁଦ୍ରାସ୍ଫୀତି ବି‌ପକ୍ଷରେ। ‘ଆର୍‌ଏସ୍‌ଏସ୍‌’ ଭୟ ପ୍ରସାର କରିବା ପରେ ତାକୁ ଘୃଣାରେ ପରିଣତ କରୁଛି। ଆମେ ଘୃଣା ପ୍ରସାର କରୁ ନ ଥିବାରୁ ଭୟ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ସେ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଏହି ଯାତ୍ରାକୁ ଅଟକାଇବା ପାଇଁ ନାନା ବାହାନା ଖୋଜୁଛନ୍ତି ସରକାର କିନ୍ତୁ ଆମେ ଅଟକିବୁ ନାହିଁ।

Comments are closed.