କରୋନା ପାଇଁ ମେଡିକାଲରେ ଆରମ୍ଭ ହେବ ମକଡ୍ରିଲ
ନୂଆଦିଲ୍ଲୀ :ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କରାଯିବା ସହ ଆସନ୍ତା ମଙ୍ଗଳବାରଠାରୁ ସମସ୍ତ ହସ୍ପିଟାଲରେ ମକ୍ଡ୍ରିଲ୍ କରାଯିବ ବୋଲି ଶୁକ୍ରବାର ଦିନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚେତାଇ ଦିଆଯାଇଛି ଯେ ମହାମାରୀ ଏଯାଏ ଯାଇନାହିଁ। ତେଣୁ ଆସନ୍ତା ଖ୍ରୀଷ୍ଟମାସ ଓ ନୂଆବର୍ଷ ପରି ଉତ୍ସବ ପାଳନ ସମୟରେ ଜନସାଧାରଣ କୋଭିଡ୍ ନିୟମାବଳି ପାଳନ କରିବାକୁ ହେବ।
୧୮ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ଭାରତ ବାୟୋଟେକ୍ର ନାକରେ ପକାଯାଉଥିବା ଟିକା (ଇଣ୍ଟ୍ରାନାଜାଲ କୋଭିଡ୍ ଭାକ୍ସିନ)କୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁମତି ଦେଇଛନ୍ତି। ପୂର୍ବରୁ କୋଭିସିଲ୍ଡ ବା କୋଭାକ୍ସିନର ଦୁଇ ଡୋଜ୍ ନେଇଥିବା ବ୍ୟକ୍ତିମାନେ ଏହାକୁ ବିଷମଜାତୀୟ ବୁଷ୍ଟର ଡୋଜ୍ ଭାବେ ନେଇପାରିବେ। ଏହି ଟିକାଦାନ ଆଜିଠୁ ଆରମ୍ଭ ହୋଇଛି। ଏହି ବିବିଭି୧୫୪ ବା ଇନ୍କୋଭାକ୍ ହେଉଛି ଏକ ନାସିକ୍ୟ ଟିକା (ନାଜାଲ ଭାକ୍ସିନ)। ଏହାକୁ ନେବା ପାଇଁ ଅନ୍ୟ ଟିକା ପରି ଇଂଜେକ୍ସନ ସିରିଞ୍ଜର ଆବଶ୍ୟକତା ନାହିଁ। ଏହାକୁ ନାକରେ ଡ୍ରପ୍ ଆକାରରେ ପକାଯିବ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ ଆଗରୁ ଆମେ ଗୋଟିଏ ଧାରା ଦେଖିଛୁ- ସଂକ୍ରମଣ ଚୀନ୍, କୋରିଆ ଓ ବ୍ରାଜିଲରୁ ଆରମ୍ଭ ହୋଇ ଦକ୍ଷିଣ ଏସିଆକୁ ଆସିଥାଏ। ପୂର୍ବରୁ ଏହା ୨୦ରୁ ୩୫ ଦିନ ଭିତରେ ଭାରତରେ ପହଞ୍ଚିବା ଦେଖାଯାଇଥିଲା। ଏଣୁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି।
Comments are closed.