ରାହୁଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ବଢ଼ିଲା ଜାମିନ ମିଆଦ । ସୁରଟର ଏକ ସେସନ କୋର୍ଟରେ ରାହୁଲଙ୍କ ଆବେଦନ ପରେ ଅଦାଲତ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଥିବା ଜଣାପଡ଼ିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ। ସୋମବାର ଦିନ ରାହୁଲ ଗାନ୍ଧି ଗୁଜରାଟର ସୁରଟସ୍ଥିତ ସେସନ କୋର୍ଟରେ ‘ମୋଦୀ ସାଙ୍ଗିଆ’ ଅପରାଧିକ ମାନହାନି ମାମଲାରେ ଜିଲ୍ଲା ଅଦାଲତ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରି ଆବେଦନ କରିଥିଲେ। ଏହି ମାମଲାରେ ଦଣ୍ଡ ଘୋଷଣା ହେବାର ୧୧ଦିନ ପରେ ସେ ସେସନ କୋର୍ଟରେ ଏହା ବିରୋଧରେ ପିଟିସନ ଦାଖଲ କରିଥିଲେ। ପିଟିସନ ଦାଖଲ ପରେ ସେସନ କୋର୍ଟ ତାଙ୍କୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି।

ସୁରଟରେ ରାହୁଲ ଗାନ୍ଧିଙ୍କ ଲିଗାଲ୍‌ ଟିମ୍ ଦୁଇଟି ଆବେଦନ କରିଛି। ପ୍ରଥମତଃ ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଉପରେ ରହିତାଦେଶ ଲାଗି ଆବେଦନ ହୋଇଛି। ଏହାପରେ ଦଣ୍ଡାଦେଶକୁ ସ୍ଥଗିତ କରିବାକୁ ଅବେଦନ କରାଯାଇଛି। ଯଦି ଅଦାଲତ ଦଣ୍ଡାଦେଶକୁ ସ୍ଥଗିତ ରଖନ୍ତି ତେବେ ରାହୁଲଙ୍କ ଲୋକସଭା ସାଂସଦ ପଦ ଜାରି ରହିବା ବାଟ ଫିଟିବ। ତେଣେ ଅଦାଲତ ଅପରାଧିକ ମାନହାନି ମାମଲା ଦାୟର କରିଥିବା ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀଙ୍କୁ ରାହୁଲଙ୍କ ଆବେଦନ ଉପରେ ଏପ୍ରିଲ ୧୦ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଶୁଣାଣି ଏପ୍ରିଲ ୧୩ରେ ହେବ ଏବଂ ରାହୁଲ ଗାନ୍ଧି ବ୍ୟକ୍ତିଗତ ଭାବେ ହାଜର ହେବାର ଆବଶ୍ୟକତା ନାହିଁ ବୋଲି ସେସନ୍ସ କୋର୍ଟ କହିଛନ୍ତି।

Comments are closed.